ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର କବିଚନ୍ଦ୍ର ସାହିରେ ସାହିର ଇଷ୍ଟଦେବୀ ମା କଦମ୍ବଖଣ୍ଡିଙ୍କ ଠାକୁରାଣୀ ଯାତ୍ରା ମହାଆଡମ୍ବରରେ ପାଳିତ ହେଉଛି । ଏହି ଯାତ୍ରା ଦୀର୍ଘ ତେଇଶି ବର୍ଷ ପରେ ଅନୁଷ୍ଠିତ ହେଉଥିବା ବେଳେ ଏହା ସାତ ଦିନ ଧରି ଚାଲିବ । ଏହି ଅବସରରେ ସାହିର ମହିଳାମାନଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାହିକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଆବାଳ ବୃଦ୍ଧବନିତା ଭକ୍ତିର ସହିତ ମା ଙ୍କ ନିକଟରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରୁଥିବାର ପରିଲକ୍ଷିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବା ସହ ସହରର ବିଭିନ୍ନ ସ୍ଥାନରୁ ଆସି ମା ଙ୍କର ଦର୍ଶନ କରିବା ପାଇଁ ଭକ୍ତଙ୍କର ସମାଗମ ହେଉଛି । ଏହି ଅବସରରେ ମାଆଙ୍କ ସୁସଜ୍ଜିତ ମେଢ଼ ସହ ସ୍ଥାନୀୟ ଯୁବଗୋଷ୍ଠୀ ବିଭିନ୍ନ ବେଶଭୂଷାରେ ସଜ୍ଜିତ ହୋଇ ସହର ପରିକ୍ରମା କରୁଛନ୍ତି । ଫଳରେ ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି ।ପ୍ରତିଦିନ ସନ୍ଧ୍ୟାରେ ମାଆ ଙ୍କ ଘଟ ପରିକ୍ରମା କରାଯାଉଛି । ବହୁ ସଂଖ୍ୟାରେ ଜନସମାଗମ ହେଉଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ବାସିନ୍ଦା ଆଦର୍ଶ ଦାସ, ବସନ୍ତ କୁମାର ପଣ୍ଡା, ସୁପ୍ରିୟ ମହାପାତ୍ର, ଶ୍ରୀ ଶଶାଙ୍କ ଶେଖର ସାବତ, କାଉନସିଲର ବାଳକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳିତ ଭାବରେ ଯାତ୍ରାକୁ ପରିଚାଳନା କରୁଛନ୍ତି ।
କବିଚନ୍ଦ୍ର ସାହିରେ ମା କଦମ୍ବଖଣ୍ଡି ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ !!!

