କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଖରାଦିନେ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତର ଘୋର ଅଭାବକୁ କିଛି ପରିମାଣରେ କମ୍ କରିବା ପାଇଁ , ରକ୍ତଦାନ ଶିବିର ଆୟୋଜନ କଲେ ଓଡିଶା କମ୍ପ୍ୟୁଟର ଏକାଡେମୀର ଛାତ୍ରଛାତ୍ରୀ ମାନେ । ରାଜ୍ୟରେ ଦେଖା ଯାଉଥିବା ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ମହତ କାର୍ଯ୍ୟ ଆୟୋଜନ କରି ଆସୁଥିବା ବେଳେ ଏହାକୁ ଗୁରୁତ୍ୱର ସହ ନେଇଛି କଟକର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଓଡ଼ିଶା କମ୍ପ୍ୟୁଟର ଏକାଡେମୀ । ଏହି ଅନୁଷ୍ଠାନର ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ବିଗତ କିଛି ବର୍ଷ ଧରି ଏପରି ରକ୍ତଦାନ ଶିବିର ଆୟୋଜନ କରି ଆସୁଛି । କରୋନା ମହାମାରୀ ପାଇଁ ମାତ୍ର ଦୁଇ ବର୍ଷ ଏ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ବେଳେ ବିଗତ ବର୍ଷ ଭଳି ଏବର୍ଷ କିନ୍ତୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଛି । ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଆସି ଖୁବ୍ ଉତ୍ସାହର ସହିତ ରକ୍ତଦାନ କରିଥିଲେ । ଏହାକୁ ଓଡିଶା କମ୍ପ୍ୟୁଟର ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ନାରାୟଣ ରାଉତ ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ସଦଗୁରୁ ହସ୍ପିଟାଲର ମୁଖ୍ୟ ଡ଼ା. ପ୍ରଦୀପ କୁମାର ମହାନ୍ତି ଓ ନିମନ୍ତ୍ରିତ ଅତିଥି ଭାବେ ଡ଼ା. ସମିତା ମାହାନ୍ତି, ୨ ପ୍ୟାକେଟ୍ ଏସ୍. ଡି.ପି. ବ୍ଲଡ଼ ଡୋନର୍ ଡ଼ା. ଗଜେନ୍ଦ୍ର ସେନାପତି ଏବଂ ଡ଼ା. ନରେଶ ଚନ୍ଦ୍ର ସାହୁ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ରାଜ୍ୟରେ ରକ୍ତ ଅଭାବରୁ କାହାର ଜୀବନ ହାନି ନହେଉ ସେଥିପାଇଁ ସମସ୍ତେ ସଚେତନ ହେବାପାଇଁ ଆହ୍ୱାନ ଦେଇଥିଲେ । ଏହା ସହିତ ଆଗକୁ ଏପରି ଯୁବ ପିଢ଼ି ମାନେ ସ୍ଵେଚ୍ଛାକୃତ ଭାବେ ଆସି ଏପରି ମହତ କାର୍ଯ୍ୟରେ ନିଜକୁ ସାମିଲ୍ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସମାଜକୁ ବାର୍ତ୍ତା ଦେଇଥିଲେ । ଗୋଟିଏ ରକ୍ତ ୩ଜଣଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଉତ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏପରି ମହତ କାର୍ଯ୍ୟ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ରକ୍ତଦାନ କରି ରକ୍ତ ସମ୍ପର୍କ ଗଢିବା ନିହାତି ଆବଶ୍ୟକ ବୋଲି ମତ ପୋଷଣ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବାଙ୍କୀ ଶାଖାର ନିର୍ଦ୍ଦେଶକ ଦେବୀଦତ୍ତ ବିଭୁତି ରାୟ, ବାରଙ୍ଗ ଶାଖାର ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ଚାନ୍ଦ୍ , କମ୍ପ୍ୟୁଟର ପଏଣ୍ଟ କଟକର ନିର୍ଦ୍ଦେଶକ ପଦ୍ମଜା ଦାସ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିବା ବେଳେ ରକ୍ତଦାନ କରିଥିବା ସମସ୍ତ ଛାତ୍ରଛତ୍ରୀ, ଓ.କେ.ସି.ଏଲ୍ ର କର୍ମ କର୍ତ୍ତା, କଟକର କେତେକ ଏ. ଏଲ୍ .ସି ର ପରିଚାଳକ ଏବଂ ଅନ୍ୟାନ୍ୟ ରକ୍ତଦlତlଙ୍କୁ ସାର୍ଟିଫିକେଟ ପ୍ରଦାନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ । ଏସ୍ ସି ବି ରକ୍ତ ଭଣ୍ଡାର ଏବଂ ଓଡିଶା କମ୍ପୁଟର ଏକାଡେମୀ ର ମିଳିତ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଶ୍ରୀ ରାମଚନ୍ଦ୍ର ଖଟୁଆଙ୍କ ନେତୃତ୍ଵରେ ମୋଟ ୧୨୫ ୟୁନିଟରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ ହୋଇଥିଲା। ଉକ୍ତ ଶିବିରକୁ ଓ. ସି. ଏ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ। ଗ୍ରୀଷ୍ମ କାଳରେ ମହାବିଦ୍ୟାଳୟ ଗୁଡିକ ବନ୍ଦ ହେବାଯୋଗୁଁ ରକ୍ତଦାନ ହାର ବାଧା ପ୍ରାପ୍ତ ହୋଇଥାଏ ଫଳରେ ରକ୍ତ କେନ୍ଦ୍ରଗୁଡ଼ିକରେ ରକ୍ତ ସଙ୍କଟ ଦେଖା ଦେଇଥାଏ। ରକ୍ତ ସଙ୍କଟ ସମୟରେ ସଙ୍କଟ ମୋଚନ ଭାବେ ଓ. ସି. ଏ ର ନିର୍ଦ୍ଧେଶକ ସୂର୍ଯ୍ୟ ନାରାୟଣ ରାଉତଙ୍କ ଏହି ବଳିଷ୍ଠ ଉଦ୍ୟମକୁ ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡ଼ା. ନରେଶ ଚନ୍ଦ୍ର ସାହୁ ବେଶ ପ୍ରଶଂସା କରିବା ସହ ସାମାଜିକ ଅନୁଷ୍ଠାନ ଗୁଡ଼ିକ ଏହି ସମୟରେ ବିପଦର ବନ୍ଧୁ ସାଜି ଗୋଟେ ଗୋଟେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାଲାଗି ଆହ୍ଵାନ ଦେଇଛନ୍ତି । ପରିଶେଷରେ ଏସ. ସି. ବି. ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ର ଟ୍ରାନସ୍ଫୁଜନ ମେଡିସିନ ବିଭାଗର ମୁଖ୍ୟ କର୍ମକର୍ତ୍ତା ତଥା ଆସୋସିଏଟ୍ ପ୍ରଫେସର ଡ଼ା. ସ୍ୱାଇଁ, ଶ୍ରୀ ରାଉତଙ୍କର ଏହି ମହତ କାମର ପ୍ରଶଂସା କରିବାସହ ତାଙ୍କୁ ପ୍ରଶଂସା ପତ୍ର ଓ ମୁମେଣ୍ଟୋ ପ୍ରଦାନ ପୂର୍ବକ ସମ୍ମାନିତ କରିଥଲେ ।

