ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ହୋଇଥିବା ବୋମାମାଡ଼ ଘଟଣାକୁ ନେଇ ଏବେ ସରଗରମ ହୋଇଛି ପାରାଦୀପ ରାଜନୀତି । ଘଟଣାର ସାତ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ପୋଲିସ ଜାଲରେ ପଡ଼ିନଥିବା ବେଳେ ବିଜେପି, ବିଜେଡି, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ଏବେ ଏକ ସ୍ୱରରେ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଛନ୍ତି । କେବଳ ବାପୁ ପରିଡା ନୁହେଁ, ଏହି ଘଟଣାର ଷଡ଼ଯନ୍ତ୍ରରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଶ୍ରମିକ ନେତା ବାପି ସର୍ଖେଲଙ୍କୁ ମଧ୍ୟ ଗିରଫ କରିବାକୁ ଦାବି ଉଠିଛି । ଏନେଇ ପାରାଦୀପ ଅତିରିକ୍ତ ଏସପିଙ୍କୁ ଦାବିପତ୍ର ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ପାରାଦୀପ ବୋମାମାଡ଼ ଘଟଣାକୁ ନେଇ ଏବେ ରାଜନୈତିକ ବିସ୍ଫୋରଣ । ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ହୋଇଥିବା ବୋମାମାଡ଼ ଘଟଣା ପରେ ସହରରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପାରାଦୀପ ଅତିରିକ୍ତ ଏସପିଙ୍କୁ ପୃଥକ ପୃଥକ ଦାବିପତ୍ର ପ୍ରଦାନ କରାଯାଇଛି । ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏହି ବୋମାମାଡ଼ ଘଟଣା କେବଳ କିଛି ବ୍ୟକ୍ତିଙ୍କ କାମ ନୁହେଁ, ଏହା ପଛରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ରହିଛି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ସହ ପାରାଦୀପରେ ବାରମ୍ବାର ଘଟୁଥିବା ଗୁଳିମାଡ଼ ଓ ବୋମାମାଡ଼ ଘଟଣା ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି । ଏହା ସହ ଶ୍ରମିକ ନେତା ବାପି ସର୍ଖେଲଙ୍କ ନାମକୁ ନେଇ ମଧ୍ୟ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଘଟଣାର ଷଡ଼ଯନ୍ତ୍ରରେ ଯଦି ତାଙ୍କର ଭୂମିକା ରହିଥାଏ, ତେବେ ତାଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଉ । ଅନ୍ୟପଟେ, ଗତ ୩ ତାରିଖରେ ପାରାଦୀପ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା ବୋମାମାଡ଼ ଘଟଣାର ତଦନ୍ତ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ । ଏସପିଙ୍କ ସୂଚନା ଅନୁଯାୟୀ, ପୌରାଧ୍ୟକ୍ଷ ଏବଂ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସୁସମ୍ପର୍କ ରହିଥିଲା । ହେଲେ ପୌରପାଳିକା ଟେଣ୍ଡରକୁ କେନ୍ଦ୍ର କରି ମନୋମାଳିନ୍ୟ ସୃଷ୍ଟି ହେବା ପରେ ଏହିଭଳି ଘଟଣା ଘଟିଥିବା ନେଇ ତଦନ୍ତରୁ ସୂଚନା ମିଳିଥିଲା । ଘଟଣା ପରେ ପୋଲିସ ଏକାଧିକ ଟିମ୍ ଗଠନ କରି ତଦନ୍ତ ଚଳାଇଥିବା ବେଳେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଜ୍ୟୋତିକାନ୍ତ ପରିଡା ଓରଫ ବାପୁ ଏପର୍ଯ୍ୟନ୍ତ ଫେରାର ରହିଛି । ଏହି ଘଟଣାରେ ବାପୁ ପରିଡାଙ୍କ ସହ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଉଠୁଥିବା ବେଳେ, ବାପି ସର୍ଖେଲଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେଣୁ ଘଟଣାର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଉନ୍ମୋଚନ କରିବାକୁ ଦାବି କରିଛନ୍ତି ରାଜନୈତିକ ଦଳ ଓ ସାମାଜିକ ସଂଗଠନ । ବୋମାମାଡ଼ ଘଟଣାକୁ ସାତ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ପୋଲିସ ଜାଲରେ ପଡ଼ିନାହିଁ । ତେବେ ଘଟଣାକୁ ନେଇ ଏବେ ବିଜେଡି, ବିଜେପି, କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ପ୍ରାୟ ଏକ ସ୍ୱରରେ ତଦନ୍ତର ପରିସର ବଢ଼ାଇବା ଏବଂ ଷଡ଼ଯନ୍ତ୍ରରେ ସାମିଲ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି । ବିଶେଷ କରି ବାପି ସର୍ଖେଲଙ୍କ ନାମକୁ ନେଇ ଉଠୁଥିବା ଅଭିଯୋଗ ଏବେ ପାରାଦୀପ ରାଜନୀତିକୁ ଅଧିକ ସରଗରମ କରିଛି । ଏବେ ସମସ୍ତଙ୍କ ନଜର ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ।
ପାରାଦ୍ୱୀପ ଅଞ୍ଚଳରେ ଆଇନଶୃଙ୍ଖଳାକୁ ନେଇ ତିନି ଦଳର ଦାବିପତ୍ର !!!

