ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପବିତ୍ର ଶୀତଳଷଷ୍ଠୀ ଅବସରରେ ଡମପଡା ବ୍ଲକ ଅନ୍ତର୍ଗତ ସମସ୍ତ ପଂଚାୟତ ମାନଙ୍କରେ ଥିବା ଶିବ ମନ୍ଦିର ମାନଙ୍କରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଭକ୍ତିମୟ ପରିବେଷରେ ଅନୁଷ୍ଠିତ ହୋଇଯାଇଛି | ଅରପୁର ଗ୍ରାମସ୍ଥ ପ୍ରଭୁ ଶ୍ରୀ ଯଂଜ୍ଞସ୍ୱର ମନ୍ଦିରରେ ବର ବେଶରେ ମହାଦେବଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବାଜା, ବାଣ ଏବଂ ଗ୍ରାମ୍ୟ ମହିଳା ପୁରୁଷ ସଂକୀର୍ତ୍ତନ ମେଳରେ ସମସ୍ତ ଗ୍ରାମ ପରିକ୍ରମା କରାଯାଇଥିଲା | ପାରମ୍ପରିକ ରୀତିନୀତି ଓ ବେଦ ମନ୍ତ୍ର ଉଚ୍ଚାରଣରେ ଦେବ ଦମ୍ପତିଙ୍କ ବିଭାହ ଅନୁଷ୍ଠିତ ହୋଇଥିଲା | ବିବାହ ବେଦୀରେ ପୁଅ ଘର ତରଫରୁ କୃଷ୍ଣପଲ୍ଲୀର ଦମ୍ପତି ମାନସ କୁମାର ବେହେରା / ମୋନାଲି ବେହେରା ଏବଂ କନ୍ୟା ଘର ତରଫରୁ କୈଳାସ ଚନ୍ଦ୍ର ଚୌଧୁରୀ / ସୁଷମା ଚୌଧୁରୀ ବିବାହ କାର୍ଯ୍ୟ ନିର୍ବାହ କରିଥିଲେ | ପୁରୀରୁ ଆସିଥିବା ପୁରୋହିତ ସୂର୍ଯ୍ୟମଣି ତ୍ରିପାଠୀ ଓ ଅଭିମନ୍ୟୁ ତ୍ରିପାଠୀ ବେଦପାଠ କରିଥିଲେ | ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳୁ ହୁଳୁ ରେ ମନ୍ଦିର ପରିସର ଉତ୍ସବ ମୁଖରିତ ହୋଇଥିଲା | ଯଂଜ୍ଞସ୍ୱର ମନ୍ଦିର ପରିଚାଳନା କମିଟି ଏବଂ ଅରପୁର ଗ୍ରାମବାସୀଙ୍କ ତରଫରୁ ବରିଷ୍ଠ ସଭ୍ୟ ତ୍ରିଲୋଚନ ନାୟକ, ବିପିନ ବିହାରୀ ନାୟକ ଏବଂ ଜୟାନନ୍ଦ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ | ତାଳବସ୍ତ କପିଳେଶ୍ୱର ମନ୍ଦିର ଏବଂ ଦୁଲଣାପୁର ଗ୍ରାମର ବାବା ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ମଧ୍ୟ ମହାସମାରୋହରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |
ଦେବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ !!!

