1247ଜଣ କଳାକାରଙ୍କ ଆବେଦନ ଦୁଇ ବର୍ଷ ହେଲା ବିଚାରାଧୀନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଟାର୍ଗେଟ କୁ ଆସୁନି 1247 କଳାକାର ଙ୍କ ଆବେଦନ ! କଳାକାର ରହିଛନ୍ତି ଭତ୍ତା ଅପେକ୍ଷାରେ , ନୂତନ ସରକାରଙ୍କ କଳାକାରଙ୍କ ପ୍ରତି ଦୃଷ୍ଟି ପଡିବ କେବେ ? ସରକାର ଲୋକକଳା ଓ ସଂସ୍କୃତିର ସଂରକ୍ଷଣକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ଗଜପତି ଜିଲ୍ଲାରେ ଶତାଧିକ କଳାକାର ସରକାରୀ ସହାୟତା ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷାରେ ରହିଛନ୍ତି I ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ଭତ୍ତା ପାଇବାକୁ ଆବେଦନ କରିଥିବା 1247ଜଣ କଳାକାରଙ୍କ ଆବେଦନ ଦୁଇ ବର୍ଷ ହେଲା ବିଚାରାଧୀନ ରହିଛି । ସରକାରୀ ‘ଟାର୍ଗେଟ’ ନ ମିଳିବାରୁ ଏହି ପ୍ରକ୍ରିୟା ଆଗକୁ ବଢ଼ିପାରୁ ନାହିଁ । ଏହାକୁ ନେଇ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ସଂସ୍କୃତି ବିଭାଗ ତଥ୍ୟ ଅନୁଯାୟୀ,ବର୍ତ୍ତମାନ 657 ଜଣ କଳାକାର ଏହି ଯୋଜନାରେ ଭତ୍ତା ପାଉଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ନୂଆ ଆବେଦନ କରିଥିବା1247 ଜଣଙ୍କ ନାମ ଏପର୍ଯ୍ୟନ୍ତ ଅନୁମୋଦନ ପାଇନାହିଁ । ଫଳରେ ବହୁ ବୟସ୍କ ଓ ଗରିବ କଳାକାର ଆର୍ଥିକ ଅନାଟନ ମଧ୍ୟରେ ଜୀବନ ବିତାଉଛନ୍ତି । ଏ ସମ୍ପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ନୂତନ କଳାକାର ଭତ୍ତା ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ଟାର୍ଗେଟ ଦେଇନାହାନ୍ତି । ଟାର୍ଗେଟ ଆସିବା ପରେ ନିୟମ ଅନୁଯାୟୀ ଯାଞ୍ଚ କରି ଯୋଗ୍ୟ କଳାକାରଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ପ୍ରକାଶ କରିଛନ୍ତି । ଟାର୍ଗେଟ ନ ଥିବା ଆଳରେ ବହୁ ସଂଖ୍ୟକ କଳାକାରଙ୍କୁ ଭତ୍ତାରୁ ବଞ୍ଚିତ କରିବା କେତେଦୂର ଯୁକ୍ତି ସଙ୍ଗତ ବୋଲି ବୁଦ୍ଧିଜୀବୀ ଓ କଳାକାର ମାନେ ପ୍ରଶ୍ନ ଉଠାଇଛନ୍ତି I ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ କଳାକାର ସଂଘ ପକ୍ଷରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *