ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଳୁନାହିଁ ଭତ୍ତା : ଅଭିଯୋଗ ଶୁଣାଣିର କୌଣସି ପ୍ରଭାବ ନାହିଁ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗ୍ରାମାଞ୍ଚଳ ଜନ ସାଧାରଣଙ୍କର ପ୍ରଶାସନ ପାଖରେ ପଡି ରହୁଥିବା ଅଭିଯୋଗ ଏବଂ ଦାବି ଗୁଡିକର ତ୍ୱରିତ ସେବା ପାଇଁ ପଂଚାୟତ ମାନଙ୍କରେ ସୋମବାର ଦିନ ଜନ ଅଭିଯୋଗ ଶିବିର ଶୁଣାଣୀ ସହିତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କ ପାଖରେ ମାସରେ ମଧ୍ୟ ନିର୍ଦ୍ଧିଷ୍ଟ ଗୋଟିଏ ଦିନରେ ଅଭିଯୋଗ ଶୁଣାଣି ହେଉଅଛି | କିନ୍ତୁ ଏସବୁର ଲାଭ ବହୁ ସ୍ଥାନରେ ତଳସ୍ତରର ଲୋକମାନେ ପାଉନାହାନ୍ତି , କିଛି ଅଭିଯୋଗ ଫାଇଲ ଭିତରେ ରହି ବିଡା ବନ୍ଧା ହୋଇ ବ୍ଲକ କାର୍ଯ୍ୟାଳୟରେ ରହୁଅଛି | ସୋମବାର ଜନ ଅଭିଯୋଗ ଶୁଣାଣି ଗୁଡିକର ମାସ ମାସ ବିତି ଯାଉଥିଲେ ବି, ଡମପଡା ବ୍ଲକର ତାଳବସ୍ତ ଏବଂ ଦୁଲଣାପୁର ପଂଚାୟତର ସତୁରି ଭାଗ ଲୋକଙ୍କର ସମାଧାନ ହୋଇ ନଥିବାର ସାମାଜିକ କର୍ମୀ ତଥା ତାଳବସ୍ତ ଅଂଚଳର ଯୁବ ସଂଗଠକ ଅକ୍ଷୟ କୁମାର ବେହେରା ଅଭିଯୋଗ କରି କୁହନ୍ତି | ଅରପୁର ଗ୍ରାମର ଗରିବ ବିଧବା ମହିଳା କମଳା ବେହେରା, ବୟସ 70 ଆଜକୁ ଚାରି ମାସ ହେଲା ନିଜର ଭତ୍ତା ଟଙ୍କା ପାଇନାହାନ୍ତି | ପଂଚାୟତରୁ ବ୍ୟାଙ୍କ ଆଉ ବ୍ଲକ ଦୌଡ଼ି ଦୌଡ଼ି ଥକି ଗଲେଣି | ସେହିପରି ଦୁଲଣାପୁର ଗ୍ରାମ ବାରବାଟୀ ଜନଜାତିର ଦିବ୍ୟାଙ୍ଗ ଗଙ୍ଗାଧର ନାୟକଙ୍କ ବୟସ ଭୋଟର ପରିଚୟରେ 63 ବର୍ଷ ହୋଇଗଲାଣି | ତାଙ୍କ ପରିବାର ଲୋକ ଜନସେବାରେ ଦୁଇ ଦୁଇ ଥର ଦରଖାସ୍ତ ସହିତ କେବେ ରାଜସ୍ବ ନିରୀକ୍ଷକ ଏବଂ ବ୍ଲକ କାର୍ଯାଳୟ ଯାଇ ଯାଇ ବିରକ୍ତ ହୋଇଗଲେଣି, ହେଲେ ଭତ୍ତା ଗଣ୍ଡାକ ମିଳୁନାହିଁ | ଡମପଡା ବ୍ଲକର ବୃହତ୍ତ ପଂଚାୟତ ତାଳବସ୍ତ ଗ୍ରାମର ଢନସର ସାହିର ସନାତନ ବସ୍ତିଙ୍କ ବୟସ ଭୋଟର ପରିଚୟରେ 86 ବର୍ଷ ହେଲାଣି | ତାଙ୍କ ସମ ସାମୟିକ ବୟସର ଲୋକ ଦୁଇବର୍ଷ ହେବ ସରକାରଙ୍କ ବର୍ଦ୍ଧିତ ଟଙ୍କା 3500 ପାଉଛନ୍ତି | କିନ୍ତୁ ଏହି ଅସହାୟ ସନାତନ ବସ୍ତି ସେହି 1000 ଟଙ୍କା ଭତ୍ତାରେ ଅଟକିଛନ୍ତି | ଏହିପରି ମାଳତୀ, ରଘୁନାଥ, ଏବଂ ସନାତନଙ୍କ ପରି ଶହ ଶହ ଲୋକଙ୍କର ଅଭିଯୋଗ ଉପରେ ବ୍ଲକ ପ୍ରଶାସନର ନଜର ପଡୁନାହିଁ | ଯୋଗ୍ୟ ହିତାଧିକାରୀମାନେ ସରକାର ସୁବିଧାରୁ ବଂଚିତ ହେଉଛନ୍ତି | ଏ ସମ୍ପର୍କରେ ଦୁଲଣାପୁର ପି ଇ ଓ ସଦାନନ୍ଦ ବରାଳ କୁହନ୍ତି ଯେ ଆମ ଦୁଲଣାପୁର ପଂଚାୟତର କିଛି ନୂଆ ଲୋକ ଜୁନ ମାସରେ ଭତ୍ତା ପାଇଛନ୍ତି | ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଦିଆଯିବ | ତାଳବସ୍ତ ପଂଚାୟତ ପି ଇ ଓ ଲଷ୍ମୀଧର ପାଲ ଏ ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନାହାନ୍ତି ବରଂ ଅଭିଯୋଗ ଗୁଡିକୁ ହାଲୁକା ଭାବରେ ନେଇଛନ୍ତି | ଡମପଡା ବ୍ଲକ ବିଡ଼ିଓ ଅଂଶୁମାନ ଦାସଙ୍କ ଦୃଷ୍ଟି ଆକର୍ଷଣ ପରେ କହିଛନ୍ତି ଯେ ଅଭିଯୋଗ ଆସିଥିବା ବିଭାଗ ମାନଙ୍କୁ କହି ଶୀଘ୍ର ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ମିଳିବାର ବନ୍ଦୋବସ୍ତ କରିବି |

Leave a Reply

Your email address will not be published. Required fields are marked *