ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଦିଲ୍ଲୀର ଜନ୍ତର-ମନ୍ତର ଠାରେ ଦୀର୍ଘଦିନ ଧରି ଚାଲିଥିବା ଛାତ୍ର-ଯୁବ ଆନ୍ଦୋଳନର ବିଜୟ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆନ୍ଦୋଳନର ଚାପରେ ଇସ୍ତଫା ଦେବାକୁ ବାଧ୍ୟ ହେବାକୁ ଏକ ଐତିହାସିକ ବିଜୟ ବୋଲି ଆଜି ବାରଙ୍ଗର ଦାଢ଼ାପାଟଣାଠାରେ ଅନୁଷ୍ଠିତ ଛାତ୍ର-ଯୁବ ବିଜୟ ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏଆଇଡିଏସଓ, ଏଆଇଏମ୍ଏସ୍ଏସ୍ ଏବଂ ଏଆଇଡିୱାଇଓ ପକ୍ଷରୁ ଏହି ବିଜୟ ସଭାର ଆୟୋଜନ କରାଯାଇଥିଲା । ବକ୍ତାମାନେ କହିଥିଲେ ଯେ, ଦୀର୍ଘଦିନ ଧରି ଦିଲ୍ଲୀର ଜନ୍ତର-ମନ୍ତର ଠାରେ ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ର ଓ ଯୁବକ ମାନେ ନିଜର ନ୍ୟାୟସଙ୍ଗତ ଦାବି ନେଇ ଗଣ ଆନ୍ଦୋଳନ ଚଳାଇ ଆସୁଥିଲେ । ଆନ୍ଦୋଳନର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ, ଏନ୍ଟିଏ (NTA)କୁ ରଦ୍ଦ କରିବା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଥିଲା । ବକ୍ତାମାନେ ଆହୁରି କହିଥିଲେ ଯେ, ଗତ ୨୦ ଜୁଲାଇରେ ପାର୍ଲାମେଣ୍ଟ ମାର୍ଚ୍ଚ ସମୟରେ ଆନ୍ଦୋଳନରତ ଛାତ୍ର-ଯୁବକମାନଙ୍କ ଉପରେ ପୋଲିସ ପକ୍ଷରୁ ବର୍ବର ଆକ୍ରମଣ କରାଯାଇଥିଲା । କିନ୍ତୁ ଦମନ-ପୀଡ଼ନ ସତ୍ତ୍ୱେ ଆନ୍ଦୋଳନକାରୀ ମାନେ ପଛଘୁଞ୍ଚା ଦେଇନଥିଲେ ଏବଂ ଦୃଢ଼ତାର ସହ ସଂଗ୍ରାମ ଜାରି ରଖିଥିଲେ । ଶେଷରେ ସଂଗଠିତ ଜନ ଆନ୍ଦୋଳନର ଶକ୍ତି ଆଗରେ ସରକାର ଦୋଷ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ । ଏହି ବିଜୟ କେବଳ ଛାତ୍ର ସମାଜର ନୁହେଁ, ବରଂ ଦେଶର ସମସ୍ତ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ଏକ ପ୍ରେରଣା । ଆଗାମୀ ଦିନରେ ଜନ ଗଣ ନିଜର ନ୍ୟାୟସଙ୍ଗତ ଦାବି ହାସଲ ପାଇଁ ଏହି ଆନ୍ଦୋଳନରୁ ପ୍ରେରଣା ନେବେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ବିଜୟ ସଭାରେ ମାଳବିକା ସାମଲ, ସିଦ୍ଧାର୍ଥ ରଥ, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ଏବଂ ଅଭିରାମ ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।
ଦୀର୍ଘଦିନ ଧରି ଚାଲିଥିବା ଛାତ୍ର-ଯୁବ ଆନ୍ଦୋଳନର ବିଜୟ !!!

