ସାଇବର ଅପରାଧ ସୁରକ୍ଷା ନେଇ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ପୋଲିସ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧ ଓ ଅନଲାଇନ୍ ଠକେଇକୁ ରୋକିବା ସହ ଜନସାଧାରଣଙ୍କ ସମେତ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ପୋଲିସ ପକ୍ଷରୁ ଆଜି ଗଜପତି ଜିଲ୍ଲାର ରାୟଗଡ , ଅନାଘା , ଗୁରାଣ୍ଡି ସ୍ଥିତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ସମ୍ପୃକ୍ତ ଅଞ୍ଚଳର ଥାନା ପକ୍ଷରୁ ଭିନ୍ନ ଭିନ୍ନ ଭାବେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଉଚ୍ଚବିଦ୍ୟାଳୟ ମାନଙ୍କରେ ସମ୍ପୃକ୍ତ ଅଞ୍ଚଳର ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ସାଇବର ଠକେଇର ବିଭିନ୍ନ ଉପାୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ।

ବିଶେଷକରି ବିଭିନ୍ନ ସାଇବର୍ ଠକେଇ, ସାମାଜିକ ଗଣ ମାଧ୍ୟମରେ ଅପବ୍ୟବହାର, ଓଟିପି , ଏଟିଏମ୍ /ପିନ , ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ତଥ୍ୟ କାହା ସହିତ ସେୟାର ନ କରିବା, ଅଜଣା ଲିଙ୍କରେ କ୍ଲିକ୍ ନ କରିବା ଏବଂ ଅଜଣା ବ୍ୟକ୍ତିଙ୍କ ଭିଡିଓ କଲ୍, ଫୋନ୍ କିମ୍ବା ମେସେଜ୍‌ରେ ବିଶ୍ୱାସ ନ କରିବା ପାଇଁ କହିବା ସହ ଏ ସବୁଠାରୁ ନିଜକୁ କିଭଳି ସୁରକ୍ଷିତ ରଖିବେ ସେ ସବୁର ବିଭିନ୍ନ ଦିଗ ଉପରେ ସଚେତନ କରାଇ ପରାମର୍ଶ ଦିଆଯାଇଥିଲା। ମୁଖ୍ୟତଃ ଡିଜିଟାଲ୍ ଆରେଷ୍ଟ, ଫେକ୍ କଷ୍ଟମର୍ କେୟାର୍, ଅନଲାଇନ୍ ଚାକିରି ଠକେଇ, ନକଲି ସୋସିଆଲ୍ ମିଡିଆ ପ୍ରୋଫାଇଲ୍, ଫିଶିଂ ଲିଙ୍କ୍ ଓ ୟୁପିଆଇ ଠକେଇ ଭଳି ବିଭିନ୍ନ ସାଇବର ଅପରାଧ ସମ୍ପର୍କରେ ମଧ୍ୟ ଉଦାହରଣ ଦେଇ ସଚେତନ କରାଯାଇଥିଲା।

ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ସାଇବର ଠକେଇର ଶିକାର ହେଲେ ଭୟଭୀତ ନ ହୋଇ ତୁରନ୍ତ ୧୯୩୦ ସାଇବର କ୍ରାଇମ୍ ହେଲ୍ପଲାଇନ୍‌ରେ ଯୋଗାଯୋଗ କରିବେ ଏବଂ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବା ଆବଶ୍ୟକ।

କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଏହି ସାଇବର ସୁରକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। “ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ—ସାଇବର ଠକଙ୍କୁ ସୁଯୋଗ ଦିଅନ୍ତୁ ନାହିଁ” ବାର୍ତ୍ତା ଦେଇ ପୋଲିସ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଡିଜିଟାଲ୍ ଯୁଗରେ ସୁରକ୍ଷିତ ଓ ସଚେତନ ଭାବେ ଅନଲାଇନ୍ ସେବା ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ।

Leave a Reply

Your email address will not be published. Required fields are marked *