ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୀନକେତନ ସ୍ନାତକ ମହାବିଦ୍ୟାଳୟ, ଗୁରାଣ୍ଡିଠାରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଏନ୍ସିସି କ୍ୟାଡେଟ୍ମାନଙ୍କ ପକ୍ଷରୁ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ଡ. ଲମ୍ବୋଦର ରାଉତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନ ଓ ଦେଶପ୍ରେମର ଗୁଣଗାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ଦୁର୍ଗା ପ୍ରସାଦ ପଟ୍ଟନାୟକ ସ୍ୱାଧୀନତାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ଇତିହାସ ବିଭାଗର ଅଧ୍ୟାପିକା ତଥା ଏନ୍ସିସି ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ସୁନିତା ବେହେରା କହିଥିଲେ ଯେ, ରାଷ୍ଟ୍ରର ଭବିଷ୍ୟତ ଯୁବପିଢ଼ିଙ୍କ ହାତରେ ନ୍ୟସ୍ତ। ଦେଶର ସୁରକ୍ଷା ଓ ଶୃଙ୍ଖଳା ରକ୍ଷାରେ ଏନ୍ସିସି କ୍ୟାଡେଟ୍ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତପ୍ରକାଶ କରିଥିଲେ । ବିଭାଗର ଡେମୋନଷ୍ଟ୍ରେଟର ଶ୍ରୀ ନିର୍ମଳ ଭୂୟାଁ ସ୍ୱାଧୀନତାର ମହତ୍ତ୍ୱ ଓ ଦେଶପ୍ରତି ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାଷଣ ଦେଇଥିଲେ। ବରିଷ୍ଠ କିରାଣୀ (ହେଡ୍ କ୍ଲର୍କ) ଶ୍ରୀ ଅନିଲ ସାମଳଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କ୍ରୀଡ଼ା ଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ତୃତୀୟ ବର୍ଷ କଳା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ସୁଶାନ୍ତି ଶବର ଏବଂ ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ତୃଷ୍ଣାରିକା ସାମଳଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଗୁରାଣ୍ଡିର ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ !!!

