ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ବନ୍ଦରରେ ୪୨୭.୮୦ କୋଟିର ୭ ପ୍ରକଳ୍ପ ଉଦ୍ଘାଟିତ ! ପାରାଦୀପ ବନ୍ଦରର ବିକାଶରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ଅଧ୍ୟାୟ । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପାରାଦୀପ ବନ୍ଦରରେ ୪୨୭ କୋଟି ୮୦ ଲକ୍ଷ ଟଙ୍କାର ୭ଟି ବଡ଼ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏଥିସହ ବନ୍ଦରର ୧୮.୫ ମିଟର ଗଭୀର ଡ୍ରାଫ୍ଟ କ୍ଷମତା ମଧ୍ୟ ଆରମ୍ଭ ହୋଇଛି। ଏହା ଫଳରେ ଅଧିକ ମାଲ ନେଇ ବଡ଼ କ୍ୟାପସାଇଜ୍ ଜାହାଜ ପାରାଦୀପ ବନ୍ଦରକୁ ଆସିପାରିବ । ଅଠରବାଙ୍କି ଦ୍ୱିତୀୟ ନୂଆ ବ୍ରିଜ୍, କ୍ରୀଡ଼ା ଛାତ୍ରାବାସ, ପ୍ରଶାସନିକ କାର୍ଯ୍ୟାଳୟର ଉନ୍ନତି, ଆବାସିକ ଅଞ୍ଚଳକୁ ପାଇପ୍ ମାଧ୍ୟମରେ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଏବଂ ଆଧୁନିକ ଜାହାଜ ଯାତାୟାତ ନିରୀକ୍ଷଣ ବ୍ୟବସ୍ଥା ଭଳି ପ୍ରକଳ୍ପ ଏହି ତାଲିକାରେ ରହିଛି । ୧୮.୫ ମିଟର ଡ୍ରାଫ୍ଟ କ୍ଷମତା ଆରମ୍ଭ ହେବା ପରେ ବଡ଼ ଜାହାଜଗୁଡ଼ିକ ପୂର୍ଣ୍ଣ ମାଲ ସହ ବନ୍ଦରକୁ ପ୍ରବେଶ କରିପାରିବେ। ଏହା ଦ୍ୱାରା ଜାହାଜ ଚଳାଚଳ ଓ ପରିବହନ ଖର୍ଚ୍ଚ କମିବା ସହ ମାଲ ପରିବହନରେ ଗତି ଆସିବ ବୋଲି ଆଶା କରାଯାଉଛି । ଏହି ଅବସରରେ ପାରାଦୀପ ବନ୍ଦରରେ ଦଶ ଲକ୍ଷତମ ଗଛ ରୋପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ପରିବେଶ ସୁରକ୍ଷା ଓ ବନ୍ଦର ଅଞ୍ଚଳକୁ ସବୁଜ ରଖିବା ପାଇଁ ବନ୍ଦର ପକ୍ଷରୁ ଚାଲିଛି ବ୍ୟାପକ ବୃକ୍ଷରୋପଣ । ସେପଟେ ୨୦୩୦ ସୁଦ୍ଧା ପାରାଦୀପ ବନ୍ଦରରେ ୧୦୦ ପ୍ରତିଶତ ବର୍ଥ ମେକାନାଇଜେସନ୍ର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ପ୍ରାୟ ୮୦ ପ୍ରତିଶତ ବର୍ଥ ମେକାନାଇଜେସନ୍ ହୋଇସାରିଛି। ଅବଶିଷ୍ଟ କାମ ପାଇଁ ୧୫୮୦ କୋଟି ୩୬ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପ ନେଇ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ମେକାନାଇଜେସନ୍ ଦ୍ୱାରା ମାଲ ଉଠାଇବା ଓ ପକାଇବା କାର୍ଯ୍ୟ ଅଧିକ ଦ୍ରୁତ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ହେବ। ଏହାସହ ଜାହାଜର ଅପେକ୍ଷା ସମୟ ମଧ୍ୟ କମିବ । କେବଳ ବନ୍ଦରର ବିକାଶ ନୁହେଁ, CSR ଜରିଆରେ ଯୁବକ ଓ ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ୧୬୮ ଜଣ ବେକାର ଯୁବକଙ୍କୁ ଚାକିରିମୁଖୀ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କୁ ମାଛର ଗୁଣବତ୍ତା, ସ୍ୱଚ୍ଛତା ଓ ସୁସ୍ଥାୟୀ ମାଛଧରା ନେଇ ପ୍ରଶିକ୍ଷଣ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି, ପାରାଦୀପ ବନ୍ଦରର ଏହି ବିକାଶ କେବଳ ଗୋଟିଏ ବନ୍ଦରର ବିକାଶ ନୁହେଁ। ଏହା ପୂର୍ବ ଭାରତର ବାଣିଜ୍ୟ, ଶିଳ୍ପ, ରୋଜଗାର ଓ ଅର୍ଥନୈତିକ ବିକାଶକୁ ଆହୁରି ମଜବୁତ କରିବ ।
ପାରାଦୀପ ବନ୍ଦରରେ ୪୨୭.୮ କୋଟିର ୭ ପ୍ରକଳ୍ପ ଉଦ୍ଘାଟିତ !!!

