ପିଚୁ ପଡ଼ିବାର ବର୍ଷେ ଗଲାନି : ଉଠିଗଲା ରାସ୍ତାର ପିଚୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପିଚୁ ପଡ଼ିବାର ବର୍ଷେ ଗଲାନି , ଉଠିଗଲା ରାସ୍ତାର ପିଚୁ ! ପାର୍ତ୍ତଡ଼ା–ମିଟୁ ଛକ ଘାଟକଟିଙ୍ଗ ରାସ୍ତା କାମକୁ ନେଇ ଅଭିଯୋଗ ! ନାହିଁ ସୂଚନା ଫଳକ, ଅନ୍ଧାରରେ ଜନସାଧାରଣ । ପାର୍ତ୍ତଡ଼ାରୁ ମିଟୁ ଛକ ଘାଟକଟିଙ୍ଗ ଦେଇ ଯାଇଥିବା ରାସ୍ତାର ପିଚୁକାମକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ପିଚୁକାମ ସରିବାର ମାତ୍ର ବର୍ଷେ ଛଅ ମାସ ମଧ୍ୟରେ ରାସ୍ତାର ଅନେକ ସ୍ଥାନରୁ ପିଚୁ ଉଠିଯାଇ ମାଟି ଓ ପଥର ଦେଖାଯିବା ଆରମ୍ଭ ହୋଇଛି। ଫଳରେ ରାସ୍ତାର ନିର୍ମାଣର ଗୁଣବତ୍ତା ଓ କାର୍ଯ୍ୟର ତଦାରଖକୁ ନେଇ ପ୍ରଶ୍ନ ଉଠିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣ କରାଯାଇଛି। ରାସ୍ତା କାମ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେବା ପାଇଁ ଘଟଣାସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇନଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା ନିର୍ମାଣର ଅଟକଳ ମୂଲ୍ୟ, କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ, ଠିକାଦାରଙ୍କ ନାମ, କାର୍ଯ୍ୟର ବିବରଣୀ ଏବଂ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ସାଧାରଣ ଲୋକେ ଜାଣି ପାରୁନାହାନ୍ତି । ସୂଚନା ଅନୁସାରେ, ପ୍ରାୟ ବର୍ଷେ ଛଅ ମାସ ପୂର୍ବରୁ ଏହି ରାସ୍ତାର ପିଚୁକାମ ଶେଷ ହୋଇଥିଲା। ହେଲେ ଏତେ କମ୍ ସମୟ ମଧ୍ୟରେ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇଛି। କେତେକ ସ୍ଥାନରେ ପିଚୁ ଉପରର ପରସ୍ତ ନଷ୍ଟ ହୋଇ ତଳେ ଥିବା ମାଟି ଓ ପଥର ବାହାରକୁ ଦେଖାଯାଉଛି। ଏହାକୁ ନେଇ ଯାତାୟାତ କରୁଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତାଟି ଅଞ୍ଚଳବାସୀଙ୍କ ଯାତାୟାତର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହି ରାସ୍ତା ଦେଇ ଦୈନିକ ଲୋକମାନେ ଯାତାୟାତ କରୁଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ଦୁର୍ଘଟଣାର ଆଶଙ୍କା ବଢ଼ାଇ ଦେଉଛି। ବିଶେଷକରି ବର୍ଷା ଦିନରେ ପିଚୁ ଉଠିଥିବା ସ୍ଥାନଗୁଡ଼ିକ ଆହୁରି ଖରାପ ହେବାର ଆଶଙ୍କା ରହିଛି।ଏତେ କମ୍ ସମୟ ମଧ୍ୟରେ ନବନିର୍ମିତ ରାସ୍ତାର ପିଚୁ ଉଠିଯିବା ପଛରେ ନିର୍ମାଣ ସାମଗ୍ରୀର ଗୁଣବତ୍ତା, ପିଚୁକାମର ମାନ ଓ ନିର୍ମାଣ ସମୟରେ ଆବଶ୍ୟକୀୟ ନିୟମ ପାଳନ ହୋଇଥିଲା କି ନାହିଁ—ସେନେଇ ଏବେ ପ୍ରଶ୍ନ ଉଠିଛି।ଅଞ୍ଚଳବାସୀଙ୍କ ଦାବି, ସମ୍ପୃକ୍ତ ବିଭାଗ ପକ୍ଷରୁ ରାସ୍ତାର ଗୁଣବତ୍ତାର ନିରପେକ୍ଷ ଯାଞ୍ଚ କରାଯାଉ। ରାସ୍ତା ନିର୍ମାଣର ଅଟକଳ ମୂଲ୍ୟ, ବ୍ୟବହୃତ ସାମଗ୍ରୀ, କାର୍ଯ୍ୟର ମାନ ଓ ବିଲ୍ ପ୍ରଦାନ ସମ୍ପର୍କରେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉ। ଏଥିସହ ନଷ୍ଟ ହୋଇଥିବା ରାସ୍ତାକୁ ଶୀଘ୍ର ମରାମତି କରି ଲୋକଙ୍କ ଯାତାୟାତକୁ ସୁଗମ କରିବାକୁ ମଧ୍ୟ ଦାବି ହୋଇଛି।
ଅନ୍ୟପକ୍ଷରେ, ଏହି ରାସ୍ତା କାମ ସମ୍ପର୍କରେ ସମ୍ପୃକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ଜିଲ୍ଲା ମୁଖ୍ୟ ଯନ୍ତ୍ରୀ ଗୋବିନ୍ଦ ମାରାଣ୍ଡିଙ୍କୁ ଅବଗତ କରିବାରୁ ଏହାର ଯାଞ୍ଚ କଲାପରେ ପରବର୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ବିଭାଗ ପକ୍ଷରୁ ଯାଞ୍ଚ ପରେ ରାସ୍ତା ନିମ୍ନମାନର ହୋଇଥିବା ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ, ତାହା ଉପରେ ଏବେ ଅଞ୍ଚଳବାସୀଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *