ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥଙ୍କ ମନ୍ଦିରରେ ପୁଣି ଦେଖାଦେଇଛି ବିଦ୍ୟୁତ୍ ସମସ୍ୟା। ବିଦ୍ୟୁତ୍ ବିଲ୍ ବକେୟା ଥିବାରୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଦୀର୍ଘ ୧୫ ଦିନ ହେଲା ସମଗ୍ର ପୀଠ ଅନ୍ଧାରରେ ରହିଛି। ଏପରିକି ଦୀପ ଓ ଟର୍ଚ୍ଚ ଆଲୁଅରେ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିବାକୁ ପଡ଼ୁଛି। ବାରମ୍ବାର ଏଭଳି ସମସ୍ୟା ଉପୁଜୁଥିବାରୁ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସୂଚନା ଅନୁଯାୟୀ, ମାସ ମାସର ବ୍ୟବଧାନ ପରେ ପୀଠକୁ ବିଦ୍ୟୁତ୍ ସଂଯୋଗ ଦିଆଯାଉଥିବା ବେଳେ କିଛି ଦିନ ପରେ ପୁଣି ବକେୟା ବିଲ୍ ଦର୍ଶାଇ ବିଦ୍ୟୁତ୍ କାଟି ଦିଆଯାଉଛି। ଫଳରେ ମନ୍ଦିର ପରିସରରେ ଆଲୋକ ଅଭାବ ଯୋଗୁଁ ଠାକୁରଙ୍କ ନୀତିକାନ୍ତି, ସେବାୟତଙ୍କ ରହଣି ଓ ଭକ୍ତଙ୍କ ଯାତାୟାତ ପ୍ରଭାବିତ ହେଉଛି। ଏପରିକି ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଅନ୍ଧାରରେ ଖସିପଡ଼ି ଆହତ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ, ସିଂହନାଥ ପୀଠକୁ ସଂଯୋଗ କରୁଥିବା ପ୍ରସିଦ୍ଧ ଟି-ସେତୁ ମଧ୍ୟ ବକେୟା ବିଲକୁ ନେଇ ପ୍ରାୟ ଆଠ ମାସ ହେଲା ବିଦ୍ୟୁତ୍ ଆଲୋକରୁ ବଞ୍ଚିତ ରହିଛି। ସେତୁ ନିର୍ମାଣ ପରେ ଏହି ଅଞ୍ଚଳକୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ବଢ଼ିଥିବାବେଳେ ଆଲୋକ ବ୍ୟବସ୍ଥା ନଥିବା ଯାତାୟାତ ଓ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ପୀଠରେ ବାରମ୍ବାର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଏବଂ ସେତୁରେ ଦୀର୍ଘଦିନ ଧରି ଆଲୋକ ବ୍ୟବସ୍ଥା ଅଚଳ ରହିବା ଘଟଣା ପ୍ରଶାସନିକ ତତ୍ପରତା କୁ ନେଇ ପ୍ରଶ୍ନ ଉଠାଇଛି।ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟଟନର ବିକାଶ ଏବଂ ଧାର୍ମିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମି ଉନ୍ନୟନ ଉପରେ ଗୁରୁତ୍ୱ ଦେଉଥିବାବେଳେ ସିଂହନାଥ ପୀଠ ଓ ଟି-ସେତୁରେ ଆଲୋକ ବ୍ୟବସ୍ଥାର ଏଭଳି ସ୍ଥିତି ଚିନ୍ତାର କାରଣ ହୋଇଛି।
ଏହି ସମସ୍ୟାକୁ ନେଇ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇପାରିନଥିବା ଜଣାପଡ଼ିଛି। ଏକ ପ୍ରସିଦ୍ଧ ଧାର୍ମିକ ପୀଠରେ ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହିବା କୋଉଠି ନା କୋଉଠି ପର୍ଯ୍ୟଟନ ବିକାଶର ବାସ୍ତବ ଚିତ୍ରକୁ ପଦାରେ ପକାଇଛି ।
ବାବା ସିଂହନାଥଙ୍କ ପୀଠରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଟି-ସେତୁରେ ଆଲୋକ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭକ୍ତ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ଦିଗରେ ସରକାର କିମ୍ବା ପ୍ରଶାସନ କେବେ ଠୋସ୍ ପଦକ୍ଷେପ ନେଉଛି, ତାହା ଦେଖିବାକୁ ରହିଲା।

