ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ସହରର ବିଶିଷ୍ଟ ଶିକ୍ଷାବିତ୍ ତଥା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଶଙ୍କର ପ୍ରସାଦ ବକ୍ସିଙ୍କ ଆକସ୍ମିକ ବିୟୋଗରେ ଶ୍ରୀକୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସ୍ମୁତି ଚାରଣ ସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଶୋକାକୁଳ ପରିବେଶରେ ପୂରାତନ ଛାତ୍ର ସଂସଦ ଅତିଥି ଭବନ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଧାକାନ୍ତ ଭୂୟାଁ, ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରି ସଭାପତି ନୃସିଂହ ଚରଣ ପଟ୍ଟନାୟକ ଓ ସମ୍ପାଦକ ଆଦର୍ଶ ଦାସ ପ୍ରମୁଖ ମଞ୍ଚାସୀନ ରହି ସ୍ୱର୍ଗତ ବକ୍ସିଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଅତିଥିଗଣ ସ୍ୱର୍ଗତ ବକ୍ସିଙ୍କ ଜୀବନାଦର୍ଶ, ଶିକ୍ଷା ପ୍ରତି ତାଙ୍କର ନିଷ୍ଠା ଓ ମହାବିଦ୍ୟାଳୟର ବିକାଶ ପାଇଁ ତାଙ୍କର ନିରନ୍ତର ଉଦ୍ୟମକୁ ସ୍ମରଣ କରିଥିଲେ। ଜଣେ ଦକ୍ଷ ଶିକ୍ଷାବିତ୍, କ୍ରୀଡ଼ାବିତ୍ , ଛାତ୍ରବତ୍ସଳ ଅଧ୍ୟାପକ ଓ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ହିତୈଷୀ ଭାବେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମତପ୍ରକାଶ ପାଇଥିଲା। ତାଙ୍କର ବିୟୋଗ ପାରଳାଖେମୁଣ୍ଡିର ଶିକ୍ଷା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଏବଂ ଏହାଦ୍ୱାରା ସୃଷ୍ଟ ଶୂନ୍ୟସ୍ଥାନ ସହଜରେ ପୂରଣ ହୋଇପାରିବ ନାହିଁ ବୋଲି ଶୋକବାର୍ତ୍ତାରେ ପ୍ରକାଶ କରିଥିଲେ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଦସ୍ୟ ଶ ଆଶାଲତା ପାଣିଗ୍ରାହୀ,ଗଜେନ୍ଦ୍ର ପଣ୍ଡା, ରାଜେଶ କୁମାର ପାତ୍ର, ଶ୍ରୀ ଭାଗବତ ପାଢ଼ୀ, ମନୋଜ କୁମାର ପଟ୍ଟନାୟକ, ସୁଶୀଲ କୁମାର ପାଣିଗ୍ରାହୀ, ଜଗନ୍ନାଥ ମହାପାତ୍ର, କିଶୋର ଚନ୍ଦ୍ର ରଥ, ଶ୍ୱେତା ପଟ୍ଟନାୟକ, ସ୍ନେହା ବେହେରା, ଅମୂଲ୍ୟ କୁମାର ପାଣିଗ୍ରାହୀ ଓ ରାଜେନ୍ଦ୍ର କୁମାର ରଥଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଶେଷରେ ସମସ୍ତେ ସ୍ୱର୍ଗତ ଶଙ୍କର ବକ୍ସିଙ୍କ ସ୍ମୁତି ଚାରଣ ସହ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ।


