ୟୁଜିସିର ଉଚ୍ଚଶିକ୍ଷା ସମାନତା ନିୟମାବଳୀ-୨୦୨୬କୁ ସଂଶୋଧନ ଦାବିରେ ଶୋଭାଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ପ୍ରଣୀତ ଉଚ୍ଚଶିକ୍ଷା ଅନୁଷ୍ଠାନ (ସମାନତାର ପ୍ରୋତ୍ସାହନ) ନିୟମାବଳୀ-୨୦୨୬କୁ ରଦ୍ଦ କିମ୍ବା ବ୍ୟାପକ ସଂଶୋଧନ କରିବା ଦାବିରେ ଗଜପତି ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀଙ୍କୁ ଏହି ଦାବିପତ୍ର ହସ୍ତାନ୍ତର କରାଯାଇଥିଲା। ଆବେଦନ ପତ୍ରରେ ୟୁଜିସି ଦ୍ଵାରା ପ୍ରଣୀତ ନିୟମାବଳୀରେ ଜାତିଭିତ୍ତିକ ଭେଦଭାବର ପରିଭାଷାକୁ କେବଳ ଏସସି, ଏସଟି ଏବଂ ଓବିସି ବର୍ଗରେ ସୀମିତ ରଖାଯାଇଥିବାରୁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ସୁରକ୍ଷା ଆଇନରୁ ବଞ୍ଚିତ ହେବାର ଆଶଙ୍କା ରହିବା ସହ ବହୁଳ ପରିମାଣରେ ଏହାର ଅପବ୍ୟବହାର ହେବାୟ ସମ୍ଭାବନା ରହିଛି। ଏଥି ସହ ମିଥ୍ୟା ଅଭିଯୋଗ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ହଟାଇବା, ତଦନ୍ତ ପ୍ରକ୍ରିୟାରେ ପ୍ରାକୃତିକ ନ୍ୟାୟର ଅଭାବ, ନିୟମାବଳୀର କେତେକ ଶବ୍ଦର ଅସ୍ପଷ୍ଟତା, ରାଗିଂ ନିୟନ୍ତ୍ରଣରେ ତ୍ରୁଟି ଏବଂ ଇକ୍ୱିଟି ସ୍କ୍ୱାଡ୍ ଭଳି ବ୍ୟବସ୍ଥା ଦ୍ୱାରା ଶିକ୍ଷାନୁଷ୍ଠାନରେ ସାମାଜିକ ବିଭାଜନ ସୃଷ୍ଟି ହେବାର ଆଶଙ୍କା ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି । ନିବେଦନକାରୀମାନେ ଏହି ନିୟମାବଳୀକୁ ତୁରନ୍ତ ସ୍ଥଗିତ ରଖିବା ସହ ରଦ୍ଦ କିମ୍ବା ସଂଶୋଧନ କରିବା, ଜାତି ଓ ବର୍ଗ ନିର୍ବିଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ଆଇନଗତ ସୁରକ୍ଷା ଦେବା, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ବିରୋଧରେ ବ୍ୟବସ୍ଥା ପୁନଃ ଲାଗୁ କରିବା ଏବଂ ଆଇନ ବିଶେଷଜ୍ଞ ଓ ଶିକ୍ଷାବିତ୍‌ଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି କରିଛନ୍ତି।ଶିକ୍ଷାନୁଷ୍ଠାନରେ ପ୍ରକୃତ ସମାନତା, ସାମାଜିକ ସୌହାର୍ଦ୍ଦ୍ୟ ଓ ଭେଦଭାବମୁକ୍ତ ପରିବେଶ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ସୁରକ୍ଷା ପ୍ରଦାନ କରିବାକୁ ନିବେଦନ ପତ୍ରରେ ଅନୁରୋଧ କରାଯାଇଛି। ଏହି ଶୋଭାଯାତ୍ରା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ବେଳେ ସମନ୍ୱୟ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ତ୍ରିପତି ପାତ୍ର, ସମ୍ପାଦକ ଶ୍ରୀ ମନୋଜ କୁମାର ଦାଶ, ସଭାପତି ଶ୍ରୀ ହରି ମୋହନ ପଟ୍ଟନାୟକ, ପ୍ରମୋଦ ଚନ୍ଦ୍ର ପାଢ଼ୀ, ସିଦ୍ଧେଶ୍ୱର ମିଶ୍ର, ଲୋକନାଥ ମିଶ୍ର, ସୁରେନ୍ଦ୍ରନାଥ ରଥ ପ୍ରମୁଖଙ୍କ ସମେତ ବ୍ରାହ୍ମଣ ସମାଜ ଏବଂ କରଣ ସମାଜର ବହୁ ସଦସ୍ୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *