ମାଟ୍ରିକ ଅଫ୍ ଲାଇନ୍ ପରୀକ୍ଷା : ଗଜପତି ଜିଲ୍ଲାର ୧୦ଟି କେନ୍ଦ୍ରରେ ୨୩୮ ପରୀକ୍ଷାର୍ଥୀ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶୁକ୍ରବାର ଠାରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ମାଟ୍ରିକ ଅଫ୍-ଲାଇନ୍ ପରୀକ୍ଷା । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ୭ଟି ବ୍ଲକରେ ମୋଟ ୧୦ ଗୋଟି କେନ୍ଦ୍ରରେ ଏହି ଅଫ-ଲାଇନ ପରୀକ୍ଷା ହେଉଛି । ଏହା ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କୋଭିଡ୍-୧୯ ଯୋଗୁଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହୋଇ ପାରି ନ ଥିଲା । ବୋର୍ଡ କର୍ତ୍ତୃପକ୍ଷ ୯ମ ଶ୍ରେଣୀର ମାର୍କ ଓ ଶ୍ରେଣୀ ପରୀକ୍ଷା ଆଧାରରେ ଦଶମ ଶ୍ରେଣୀ ପିଲାମାନଙ୍କୁ ମାର୍କ ଦେଇ ପାଶ କରାଇଥିଲେ । କିନ୍ତୁ ସରକାରଙ୍କ ଏହି ପଦ୍ଧତିକୁ କେତେକ ଛାତ୍ରଛାତ୍ରୀ ବିରୋଧ କରି ଅଫ୍-ଲାଇନ୍ ରେ ପରୀକ୍ଷା ଦେବାପାଇଁ ବୋର୍ଡ କର୍ତ୍ତୁପକ୍ଷଙ୍କୁ ଆବେଦନ କରିଥିଲେ । ସରକାର ମଧ୍ୟ ପିଲାଙ୍କ ଏଭଳି ଆବେଦନକୁ ଗ୍ରହଣ କରି ମୂଲ୍ୟାୟନ ପଦ୍ଧତିରେ ସନ୍ତୁଷ୍ଟ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍-ଲାଇନ୍ ପରୀକ୍ଷା ଦେବା ନିମନ୍ତେ ପୂର୍ବରୁ ଘୋଷଣା କରିଥିଲେ ।

ଏହି ପରିପ୍ରେକ୍ଷୀରେ ସାରା ଓଡ଼ିଶାରେ ଏହି ମାଟ୍ରିକ ଅଫ୍-ଲାଇନ୍ ପରୀକ୍ଷା ଜୁଲାଇ ୩୦ ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ୫୦୪ ଟି କେନ୍ଦ୍ରରେ ମୋଟ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଗଜପତି ଜିଲ୍ଲାରେ ୧୦ ଟି କେନ୍ଦ୍ରରେ ଆବେଦନ କରିଥିବା ୩୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୨୩୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଅଫ୍-ଲାଇନ୍ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷା ପ୍ରତ୍ୟେକ କେନ୍ଦ୍ରରେ କୋଭିଡ୍ ର ସମସ୍ତ ନିୟମ ପାଳନ ପୂର୍ବକ ହେଉଅଛି । ପରୀକ୍ଷାରେ ରେଗୁଲାର , ଏକ୍ସ-ରେଗୁଲାର , କରେସପୋଣ୍ଡେନ୍ସ ର ରେଗୁଲାର ଓ ଏକ୍ସ-ରେଗୁଲାର ସମେତ ଷ୍ଟେଟ ଓପନ ସ୍କୁଲର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ର ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ଥର୍ମାଲ ଟେଷ୍ଟିଙ୍ଗ ହେବା ସହ ହାତକୁ ସାନିଟାଇଜ କରାହେଉଛି ଏବଂ ମାସ୍କ ବଣ୍ଟନ କରାଯିବା ସହ ସେମାନଙ୍କ ଆଡମିଟ କାର୍ଡ ଯାଞ୍ଚ କରାଯାଉଛି ।

ପରୀକ୍ଷା ହଲରେ ମଧ୍ୟ ଛାତ୍ରଛାତ୍ରୀ ମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ପରୀକ୍ଷା ଦେଉଛନ୍ତି ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ପ୍ରକାଶ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ପରୀକ୍ଷା କେନ୍ଦ୍ର ଗୁଡିକକୁ ଯାଇ ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କୁ ନିର୍ଭୟରେ ପରୀକ୍ଷା ଦେବାପାଇଁ କହିଥିଲେ। ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଡ଼.ବୃଷକେତୁ ଦାଶ ପରୀକ୍ଷା କେନ୍ଦ୍ର ପରିଚାଳକ ଭାବେ ରହିଥିବା ବେଳେ ହରିହର ଦାସ ସହ-ପରିଚାଳକ ଭାବେ ରହିଥିଲେ । ଅନ୍ୟ ପକ୍ଷରେ ଆମ ମାର୍କ କମିଯାଇଛି । ବର୍ତ୍ତମାନ ଆମେ ଅଫ୍-ଲାଇନ୍ ରେ ମାଟ୍ରିକ ପରୀକ୍ଷା ଦେଉଛୁ । ଏଥିରେ ବହୁତ ଭଲ ଲେଖି ଅଧିକ ମାର୍କ ଆଣିବୁ । ସରକାର ମଧ୍ୟ ଆମକୁ ଏହି ଅଫ୍-ଲାଇନ୍ ରେ ମାଟ୍ରିକ ପରୀକ୍ଷା ଦେବାର ସୁଯୋଗ ଦେଇଥିବା ଯୋଗୁଁ ଆମେ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କେତେକ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *