ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ୨୨ମାର୍ଚ୍ଚ ୨୦୨୦ ମସିହାରୁ ନିରବଚ୍ଛିନ୍ନ ଭାବରେ ଜାରି ରହିଥିବା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଇତିମଧ୍ୟରେ ୬୫୧ ଦିନରେ ପହଞ୍ଚିଛି । ପ୍ରତି ୨୫ ଦିନରେ ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମର ୬୫୦ତମ ଦିବସର ୨୬ ତମ ସମୀକ୍ଷା ବୈଠକ ସହ ଇଂରାଜୀ ନବବର୍ଷ – ୨୦୨୨ ପାଳନ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ମଙ୍ଗଳପୁର ସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୀକ୍ଷକ ଭାବରେ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର, ସାମ୍ବାଦିକ ନିହାର ରଞ୍ଜନ ସାମଲ, ସମାଜସେବୀ ଶ୍ରୀମତୀ ବୀଣାପାଣି ଦାସ, ଶ୍ରୀମତୀ ପୁନମ୍ ସାହାଣୀ ଆଦି ଯୋଗଦେଇ ଫାଉଣ୍ଡେସନ ଦ୍ୱାରା ଦୀର୍ଘ ୬୫୦ଦିନ ଧରି ନିରବଚ୍ଛିନ୍ନ ଭାବରେ ପ୍ରାୟୋଜିତ ଏହି ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ସମଗ୍ର ବିଶ୍ୱରେ ବିରଳ ବୋଲି ମତ ରଖିଥିଲେ ।

ସାଧାରଣ ଜନତାର ନିଃସ୍ୱାର୍ଥପର ଭାବରେ ସମର୍ଥନ ସହିତ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶର ଗଣମାଧ୍ୟମରେ ଏହି କାର୍ଯ୍ୟକ୍ରମର ଧାରାବାହିକ ପ୍ରଚାର ପ୍ରସାର ଆଜି ସଙ୍ଗଠନକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରିପାରିଛି । ଏ ସବୁର ଶ୍ରେୟ ନିମନ୍ତେ ସେମାନେ ହିଁ ହକଦାର ବୋଲି ସମୀକ୍ଷକ ମାନେ ମତବ୍ୟକ୍ତ କରିବା ସହ ଆଗାମୀ କରୋନାର ତୃତୀୟ ଲହର ସହ ଓମିକ୍ରନର ଭୟାବହତାରୁ କିଭଳି ଭାବରେ ରକ୍ଷା ପାଇ ହେବ ଓ ସାଧାରଣ ଜନତାଙ୍କ ପାଇଁ ଗୃହୀତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଫାଉଣ୍ଡେସନର ୬୫୧ତମ ଦିବସର ସଚେତନତା ଓ ରିଲିଫ ବିତରଣ କାର୍ଯ୍ୟକ୍ରମ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳରେ କରାଯାଇଥିବାର ଦେଖିବାକୁ ମିଳିଥିଲା ।

