ବାଣପୁର ଅଞ୍ଚଳରେ ଧାନ ମଣ୍ଡିରେ ଧାନ ବିକ୍ରି କୁ ନେଇ ରାସ୍ତା ମଝିରେ ଗଣଧାରଣା ଦେଲେ ଶତାଧିକ ଚାଷୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବା ଏବଂ ଧାନ ବିକ୍ରିକୁ ନେଇ ଦେଖାଯାଉଛି ଚାଷୀ ଉତ୍ତେଜନା । ତେବେ ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳ l ଗତ ୧୩ ତାରିଖରେ ବାଣପୁର ବ୍ଲକ ଏବଂ ଏନଏସି ର ସମସ୍ତ ୧୩ ଗୋଟି ସେବା ସମବାୟ ସମିତିର ଶତାଧିକ ଚାଷୀ ବାଣପୁର ତହସିଲଦାରଙ୍କୁ ଭେଟି ଯଥା ଶୀଘ୍ର କିପରି ସମସ୍ତ ସୋସାଇଟିରେ ଧାନ ମଣ୍ଡି ଖୋଲିବ ଏବଂ ଉଚିତ ମୂଲ୍ୟରେ ଧାନ ବିକ୍ରି ହେବ ସେ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସୋମବାର ବାଣପୁର ଏନଏସି ବଡ଼ହନ୍ତୁଆଡ଼ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଥିବା ବେଳେ ଏହାକୁ ତହସିଲଦାର ଉଦଘାଟନ କରିଥିଲେ । କିନ୍ତୁ ମିଲର ମାନେ ଆସି ଧାନ ନିରୀକ୍ଷଣ କରି ମାନ ଉତ୍କୃଷ୍ଟ ନଥିବା କହି ଧାନ ନକିଣି ଫେରି ଯାଇଥିଲେ । ଏହାପରେ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଉକ୍ତ ସ୍ଥାନକୁ ଆସି ଧାନର ମାନ ନିରୀକ୍ଷଣ କରିଥିଲେ ସୁଦ୍ଧା ମିଲର ମାନେ ଚାଷୀଙ୍କଠାରୁ ଧାନ କିଣୁ ନାହାନ୍ତି । ଯାହାଦ୍ୱାରା ଦୀର୍ଘ ଦୁଇରୁ ତିନି ଦିନ ହେଲା ଚାଷୀ ମାନେ ଶୀତ କାକରରେ ପଡ଼ି ନିଜ ଅମଳ ଧାନକୁ ଜଗି ରହିଛନ୍ତି । ତେବେ ଆଜି ଏହାର ପ୍ରତିବାଦରେ ଏବଂ ସ୍ଥାୟୀ ସମାଧାନ ଦାବିରେ ୧୩ ଗୋଟି ସୋସାଇଟିର ଶତାଧିକ ଧାନ ଚାଷୀ ବାଣପୁର ସୋସାଇଟି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ଯାହା ଫଳରେ ରାସ୍ତା ଅବରୋଧ ହେବା ସହ ଯାନ, ବାହନ ଚଳପ୍ରଚଳରେ ଅସୁବିଧା ସୃଷ୍ଟି ହୋଇଥିଲା , ଯଦି ଏହାର କିଛି ସୁଫଳ ନମିଳେ ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାଙ୍କୁ ଓହ୍ଲାଇବା କୁ ପଛାଇବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *