ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବାହାବଳପୁର କାନନେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଅନଶନରେ ବସିଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ବାହାବଳପୁର ଅଞ୍ଚଳରେ । ସ୍ଥାନୀୟ କାନନେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ମାନେ ଏହି ଆନ୍ଦୋଳନ କରିଛନ୍ତି । ଏହାକୁ ଗ୍ରାମବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି ସମର୍ଥନ ଜଣାଇଥିବା ବେଳେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ହାତରେ ବହି ଖାତା ବଦଳରେ ପ୍ଲାକାର୍ଡ । ଶ୍ରେଣୀ ଗୃହ ଛାଡ଼ି ରାସ୍ତାରେ ଛାତ୍ରଛାତ୍ରୀ । ଚାଲିଛି ଆନ୍ଦୋଳନ । ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ମହାମାରୀ କରୋନା ପାଇଁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମାତ୍ର ଏବେ ସ୍କୁଲ ଖୋଲିବା ପରେ ଶିକ୍ଷକ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ତେଣୁ ତୁରନ୍ତ ଏହି ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି କରିବାକୁ ଛାତ୍ରଛାତ୍ରୀ ମାନେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଅଭିଯୋଗ ମୁତାବକ ୧୯୬୪ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏଠାରେ ବର୍ତମାନ ୧୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଗତ ୨ ମାସ ତଳେ ଏହି ବିଦ୍ୟାଳୟର ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ଓ ଗଣିତ ଶିକ୍ଷାଲାଭ କରିବାରୁ ବଞ୍ଚିତ ହେଉଛନ୍ତି । ତେଣୁ ସ୍ଥାନୀୟ ଜନ ପ୍ରତିନିଧି ଓ ଅବିଭାବକ ମାନେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ବାଧ୍ୟହୋଇ ଆଜି ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ପନ୍ଥା ଗ୍ରହଣ କରିଛନ୍ତି । ସକାଳୁ ସ୍କୁଲ ଫାଟକରେ ତାଲା ପକାଇ ଅନଶନରେ ବସିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଗ୍ରାମବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି । ସେପଟେ ଏହାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହୋଇଛି ।
ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ !!!

