ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର – ବାଲୁଗାଁ ଅଞ୍ଚଳରେ ଦିନକୁ ଦିନ ବେପରୁଆ ଗାଡ଼ିଚାଳନା ବୃଦ୍ଧି ହେଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏକାଧିକ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁ ଥିବାର ଦେଖିବାକୁ ମିଳୁଛି । ଯେଉଁଥିରେ ନିରୀହ ଲୋକଙ୍କ ଜୀବନ ଯାଉଛି । ମଦ୍ୟପାନ କରି ଗାଡ଼ି ଚଳାଇବା ହେଉ କିମ୍ବା ଲାଇସେନ୍ସ ନଥିବା ଅନଭିଜ୍ଞ ଗାଡ଼ି ଚାଳକଙ୍କ ଲାଗି ଦୁର୍ଘଟଣା ଘଟୁଥିବା ବେଳେ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ଚଢ଼ାଉ ହେଉନଥିବାର ଅଭିଯୋଗ ହୋଇ ଆସୁଥିଲା । ଏପରିକି ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରସାରଣ ହେବା ସହ ବିଭାଗୀୟ ଅଧିକାରୀଙ୍କ ଏ ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏହାକୁ ଆରଟିଓ ଗୁରୁତର ସହ ନେଇଛି । ଗତକାଲି ବାଣପୁରର ଏକାଧିକ ସ୍ଥାନରେ ଆରଟିଓ ଏବଂ ପୋଲିସର ମିଳିତ ଚେକିଂ ଅନୁଷ୍ଠିତ ହୋଇଥିଲା । ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଖୋର୍ଦ୍ଧା ମୋଟରଯାନ ନିରୀକ୍ଷକ ଅମିତ ରଣାଙ୍କ ନେତୃତ୍ୱରେ ଉକ୍ତ ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଥିଲା । ବହୁ ଗାଡ଼ି ଚାଳକଙ୍କ କାଗଜପତ୍ର, ଲାଇସେନ୍ସ, ହେଲମେଟ, ପିୟୁସି ଆଦି ଯାଞ୍ଚ କରାଯାଇଥିଲା । ଉକ୍ତ ଅଭିଯାନ ଅନ୍ତର୍ଗତ ୯ ଜଣ ବାଇକ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ୩୫ ଜଣଙ୍କ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ମୋଟରଯାନ ନିରୀକ୍ଷକ ଶ୍ରୀ ରଣା । ତେବେ ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ଉଭୟ ପୋଲିସ ଓ ଆରଟିଓ କହିଛନ୍ତି ।
ବାଣପୁରରେ ପୋଲିସ ଓ ଆରଟିଓ ର ମିଳିତ ଚଢ଼ାଉ : ୯ ଜଣଙ୍କ ଡ଼ିଏଲ ବାତିଲ !!!

