ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ପାରଳାଖେମୁଣ୍ଡି ପୋୖର ପରିଷଦ ଅଞ୍ଚଳରେ ଏକ ମାତ୍ର ପରିବା ବଜାର ରହିଛି । ଦିନକୁ ଦିନ ପାରଳାଖେମୁଣ୍ଡି ସହରର ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ଏହା ଉପରେ ସମସ୍ତେ ନିର୍ଭରଶୀଳ । ତେଣୁ ଏହି ଅଞ୍ଚଳରେ ଟ୍ରାଫିକ ଠାରୁ ଆରମ୍ଭ କରି ପାର୍କିଂ ଆଦି ବିଭିନ୍ନ ସମସ୍ୟା ଦେଖା ଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ହାଟପଦା ଠାରେ ଥିବା ସରକାରୀ ଜମିରେ ନୂତନ ବଜାର ନିର୍ମାଣ ପାଇଁ ପୋୖର ପରିଷଦ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବଜାର କାମ 2016 ମସିହାରେ ଆରମ୍ଭ ହୋଇଥିଲା । ହେଲେ ସେ ସ୍ଥାନରେ ଦୀର୍ଘ ବର୍ଷ ଧରି ଦୋକାନ କରି ଚଳୁଥିବା ଏବଂ ସପରିବାର ଘର କରି ରହୁଥିବା ଗରିବ ଲୋକେ ପ୍ରବଳ ବିରୋଧ କରିଥିଲେ । ସେହି ସମୟରେ ବିରୋଧ କରୁଥିବା ଲୋକଙ୍କୁ 3 ମାସ ମଧ୍ୟରେ ଏହି କାମ ସାରିବା ସହ ଯେଉଁମାନେ ଏଠାରେ ରହୁଥିଲେ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ନୂତନ ଭାବେ ନିର୍ମାଣ ହୋଇଥିବା ଦୋକାନ ଘର ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏବେ କାମ ସରିବାର 4 ବର୍ଷ ବିତି ସାରିଥିଲେ ମଧ୍ୟ ଆଜି ଯାଏଁ ସମ୍ପୃକ୍ତ ବଜାର ଗୃହ ଆବଣ୍ଟନ ହୋଇ ପାରିଲା ନାହିଁ । ଫଳରେ ଲୋକେ ନିଜର ରୋଜଗାର ହରାଇବା ସହ ବାସ ମଧ୍ୟ ହରାଇ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି । କିଏ ପରିତ୍ୟକ୍ତ ସ୍କୁଲ ଘରେ ଆଶ୍ରୟ ନେଉଛି ତ କିଏ ଭଡା ଘରେ ରହି ହଇରାଣ ହେଉଛନ୍ତି । ତୁରନ୍ତ ସେମାନଙ୍କୁ ଏହି ନୂତନ ଭାବେ ନିର୍ମିତ ଘର ଯୋଗାଇବା ପାଇଁ ପୋୖର ପରିଷଦ ଅଧିକାରୀଙ୍କୁ ବାରମ୍ବାର ଭେଟି ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି । ନୂତନ ବଜାର ସୃଷ୍ଟି ପାଇଁ ପୋୖର ପରିଷଦ ଯେଉଁ ପରିକଳ୍ପନା ଥିଲା ତାହା ଆଜି ଯାଏଁ ପୂରଣ ହୋଇ ପାରିଲା ନାହିଁ । ଦୀର୍ଘ ବର୍ଷ ହେଲା ନିର୍ମାଣ ହୋଇ ସାରିଥିଲେ ମଧ୍ୟ, ଏହି ଦୋକାନ ଗୃହ ଆବଣ୍ଟନ କରାଗଲା ନାହିଁ କି ପରିବା ବଜାର ସୃଷ୍ଟି କରାଯାଇ ପାରିନାହିଁ । ଫଳରେ 70 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଥିବା ଏହି ବଜାର ଗୃହ ଗାଈ ଗୁହାଳରେ ପରିଣତ ହୋଇଥିବା ବେଳେ ପରିବା ବଜାର ପାଇଁ ଉଦ୍ଧିଷ୍ଟ ସ୍ଥାନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି । ଯାହାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ପୋୖର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମାଝୀ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଯେ କୋଭିଡ ପାଇଁ କାମ ହୋଇ ପାରିନାହିଁ । ଏବେ ଏହି ସମସ୍ୟା ସରିଥିବା ବେଳେ ତୁରନ୍ତ ଘର ଆବଣ୍ଟନ ସହ ନୂତନ ବଜାର ସୃଷ୍ଟି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । 70 ଲକ୍ଷ ବ୍ୟୟରେ ନିର୍ମାଣ ହୋଇ ଥିବା ବଜାର ଗୃହ ଏବେ କାମରେ ଆସୁନି ଲୋକଙ୍କୁ ଘର ଦେବା ପ୍ରତିଶୃତି ପାଣିର ଗାର ହୋଇଛି । ସେପଟେ ସେହି ପଡ଼ିଆରେ ହେଉଥିବା ସାପ୍ତାହିକ ହାଟ ରାସ୍ତା ଉପରକୁ ଉଠି ଆସିଛି । ଯାହା ଫଳରେ ସମସ୍ୟା ବଢ଼ିବାରେ ଲାଗିଛି ।
୭0 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବଜାର ଘର କାର୍ଯ୍ୟକ୍ଷମ ହେବ କେବେ ???

