କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ସମଗ୍ର ବିଶ୍ୱକୁ ଘାରିଛି ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ଚିନ୍ତା । ଏହାର ପ୍ରତିକାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥିତିରେ ଆଜି ବିଶ୍ୱ ସାଇକେଲ ଦିବସ ଅବସରରେ କଟକ ସ୍ମାର୍ଟ ସିଟିର ଅଭିନବ ବିଡ଼ାନାସୀ ୱାକର୍ସ କ୍ଲବ ପକ୍ଷରୁ ସିଡିଏ ଠାରେ ସାଇକ୍ଲୋଥନ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଭିନବ ବିଡ଼ାନାସୀ ୱାକର୍ସ କ୍ଲବକୁ ହିରୋ ସାଇକେଲ କମ୍ପାନୀ ସହଯୋଗ କରିଥିଲେ । ଆଜି ବିଶ୍ୱ ସାଇକେଲ ଦିବସ। ବିଶ୍ୱ ସାଇକେଲ ଦିବସ ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ । ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତ୍ତି ନିଆଯାଇ ଏହି ପରମ୍ପରା ଆରମ୍ଭ ହୋଇଥିଲା । ବିଶ୍ୱ ସାଇକେଲ ଦିବସରେ ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ । ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି ନିଜେ ପଢ଼ାଉଥିବା ସମାଜ ବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ । କ୍ରମେ ତୁର୍କମେନିସ୍ତାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା । ଆଜି ବିଶ୍ୱ ସାଇକେଲ ଦିବସ ଅବସରରେ ଶତାଧିକ ସଙ୍ଗଠନର ସଦସ୍ୟ, ସ୍ଥାନୀୟ ବାସିନ୍ଦା,ବରିଷ୍ଠ ନାଗରିକ ଓ ଯୁବପିଢ଼ି ମାନେ ସିଡିଏ ଜୟ ନାରାୟଣ ପାର୍କ ଠାରୁ ଶୋଭାଯାତ୍ରା ଆରମ୍ଭ କରି ସାଇକେଲ ଯୋଗେ ସିଡିଏ ପରିକ୍ରମା କରିଥିଲେ । ଦୈନିକ ସାଇକେଲ ଚାଳନା ଯୋଗୁଁ ଶାରୀରିକ ବ୍ୟାୟାମ ହେବା ସହିତ, ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ସହିତ ଯୁବପିଢ଼ି ଓ ସାଧାରଣ ଜନତାଙ୍କ ମଧ୍ୟରେ ସାଇକେଲର ଚାଳନାର ଆବଶ୍ୟକତା ଓ ଉପକାରିତା ବିଷୟରେ ସଚେତନ କରିଥିଲେ । ଆଜିକାଲି ଯୁବପିଢ଼ି ମୋଟର ସାଇକେଲ ଓ ଚାରି ଚକିଆ ଯାନ ପ୍ରତି ବେଶି ଆକୃଷ୍ଟ ହେଉଥିବା ବେଳେ ସାଇକେଲର ଚାହିଦା କମ ହୋଇ ଯାଇଥିଲା !! ମାତ୍ର ଅହେତୁକ ତୈଳଦର ବୃଦ୍ଧି ପାଉଥିବାରୁ, ଆଜି ସାଧାରଣ ଜନତାଙ୍କ ଆର୍ଥିକ ଓ ଶାରୀରିକ ସନ୍ତୁଳନରେ ଅନିୟମିତତା ଦେଖିବାକୁ ମିଳୁଛି । ଆର୍ଥିକ ଓ ଶାରୀରିକ ସୁସ୍ଥତା ପାଇଁ ସାଇକେଲ ଚାଳନା ଏକମାତ୍ର ବିକଳ୍ପ ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା । ସାଇକେଲ ଚଳାଇବା ସବୁ ବୟସର ବ୍ୟକ୍ତି ମାନଙ୍କ ପାଇଁ ନିହାତି ଜରୁରୀ ଓ ସମସ୍ତେ ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ଭାବେ ସୁସ୍ଥ ରହିବେ ଓ ଏକ ସୁସ୍ଥ ଓ ପ୍ରଦୂଷଣ ମୁକ୍ତ ସମାଜ ଗଠନ କରିହେବ । ବିଶ୍ୱ ସାଇକେଲ ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ। ମାନବ ବିକାଶ ଓ ଅଗ୍ରଗତିର ପ୍ରତୀକ ଭାବରେ ପରିଗଣିତ ସାଇକେଲ, “ସହନଶୀଳତା, ପାରସ୍ପରିକ ବୁଝାମଣା, ସମ୍ମାନ ଓ ବିଶ୍ୱଶାନ୍ତି ଆଦି ମାନବୀୟ ଗୁଣ ଆଦିକୁ ପ୍ରୋତ୍ସାହିତ କରିଥାଏ । ସାଇକେଲ ପୁଣି ସ୍ଥାୟୀ ପରିବହନ, ଅନବରତ ଉତ୍ପାଦନ ଓ ବ୍ୟବହାର ଏବଂ ପରିବେଶ ସୁରକ୍ଷାର ପ୍ରତୀକ ଭାବରେ ମଧ୍ୟ ଦେଖା ଯାଇଥାଏ । ବିଶ୍ୱ ସାଇକେଲ ଦିବସକୁ ବର୍ତ୍ତମାନ ମଧୁମେହ ପୀଡ଼ିତ ଙ୍କର ସୁସ୍ଥ ଜୀବନଶୈଳୀ ସହିତ ଯୋଡ଼ା ଯାଇଛି ।