ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କେନ୍ଦ୍ର ଏବଂ ରାଜ୍ୟ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ମାନ ପ୍ରଣୟନ କରିଛନ୍ତି । ଗରିବ ଗୁରୁବାଙ୍କ ପାଇଁ ରାସନ କାର୍ଡ ସାଙ୍ଗକୁ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଏବଂ ଦିବ୍ୟଙ୍ଗଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ପ୍ରଣୟନ କରାଯାଇଥିଲେ ସୁଦ୍ଧା କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ହେଉ ଅବା ଖାମଖିଆଲ ନୀତି ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅନ୍ତର୍ଗତ ୧ ନଂ ୱାର୍ଡ ସୂର୍ଯ୍ୟନଗର ଅଞ୍ଚଳର ଏକ ଦିବ୍ୟାଙ୍ଗ ପରିବାର। ଦୀର୍ଘ ଦିନ ଧରି ଏହି ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଥିଲେ ମଧ୍ୟ ସରକାରୀ ସହାୟତା ସାତ ସପନ ପାଲଟିଛି । ଏକ ଭଡା ଘରେ ଦିବ୍ୟାଙ୍ଗ ମାମି ନନ୍ଦ ଏବଂ ଦୁଇ ଝିଅ , ଯାହାକି ବଡ଼ ଝିଅ ବର୍ଷା ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ ସହ ବହୁ କଷ୍ଟରେ ଆର୍ଥିକ ଅନଟନରେ କାଳାତିପାତ କରୁଛନ୍ତି । ପରିବାରର ବୋଝ ଏବଂ ଝିଅ ଦିବ୍ୟାଙ୍ଗ ହୋଇଥିବାରୁ ଦୀର୍ଘ ୮ ବର୍ଷ ହେବ ପରିବାର ଛାଡି ମାମୀଙ୍କ ସ୍ୱାମୀ ନାରାୟଣ କେଉଁ ଆଡେ ଚାଲି ଯାଇଛନ୍ତି । ଏଭଳି ପରିସ୍ଥିତିରେ ମାମି ଏବଂ ତାଙ୍କର ଦୁଇ ଝିଅ ସଂପୂର୍ଣ୍ଣ ବେସାହାରା ହୋଇ ପଡିଥିବା ବେଳେ ଭଗବାନ ହିଁ କେବଳ ସାହା ଭରସା ।

ଏପରି ହୃଦୟ ବିଦାରକ ଖବର ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହେବାପରେ ଚାରିଆଡୁ ସହାୟତାର ସୁଅ ଛୁଟିଛି । ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ପାରାଦୀପ ଅଞ୍ଚଳର ଜନ ସମାଜ ନିରାକରଣ ସଂସ୍ଥା ପକ୍ଷରୁ ଏକ ମାସର ରାସନ ସାମଗ୍ରୀ ସମେତ କିଛି ଆର୍ଥିକ ସହାୟତା ଦିଆଯାଇଛି । ମାତ୍ର ସାନ ଝିଅର ପାଠପଢା ଖର୍ଚ୍ଚ ସାଙ୍ଗକୁ ବଡ଼ ଝିଅର ପାଠ ପଢିବା ପାଇଁ ଆଗ୍ରହ ଥିବାରୁ ବାଧକ ସାଜିଛି ଅର୍ଥ । ଏପରିକି ବଡ଼ ଝିଅ ଦିବ୍ୟାଙ୍ଗ ବର୍ଷା ନିଜେ ପାଠ ପଢି ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବା ନେଇ ଉତ୍କଣ୍ଠା ରହିଥିଲେ ମଧ୍ୟ ଅର୍ଥ ପାଇଁ ତାହା ସମ୍ଭବ ହୋଇ ପାରୁନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଦିବ୍ୟାଙ୍ଗ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

