କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଜିଲ୍ଲା ତିଗିରିଆ ସଦର ମହକୁମା କଲ୍ୟାଣ ମଣ୍ଡପ ଠାରେ ଆଜି ରାଜ୍ୟ ସାମ୍ବାଦିକ ସଂଘ ଆନୁକୂଲ୍ୟରେ କଟକ ଜିଲ୍ଲା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଶ୍ରୀଯୁକ୍ତ ଦେଵୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଏସୟୁଜେ ର ରାଜ୍ଯ ସଭାପତି କୈଳାସ ଚନ୍ଦ୍ର ନାୟକ, ସଂପାଦକ ପ୍ରଶାନ୍ତ କୁମାର ପାଢ଼ୀ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ସ୍ତମ୍ବାକାର ବିରଞ୍ଚି ନାରାୟଣ ଦାସ, ବାଳକୃଷ୍ଣ ପଟ୍ଟନାୟକ, ଅଖିଳେସ ପଦ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ଵାଇଁ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି ଅଭିହିତ କରିଥିଲେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ଗୁରୁ୍ତ୍ଵପୂର୍ଣ୍ଣ ହୋଇଥିବା ବେଳେ ସାମ୍ବାଦିକ ମାନେ ସର୍ବଦା ସତ୍ୟ ନିରପେକ୍ଷ ନିର୍ଭୀକ ଓ ଗଠନ ମୂଳକ ସମ୍ବାଦ ପ୍ରକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଧାୟକ ଦେବୀ ପ୍ରସାଦ ମିଶ୍ର ଓଡ଼ିଶାରେ ଗଣମାଧ୍ୟମ ର ସୁଦୀର୍ଘ ଓ ସମୃଦ୍ଧ ପରମ୍ପରା ରହିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଓ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାର ପ୍ରାରମ୍ଭରେ ଆଇନଜୀବି ତଥା ଉପଦେଷ୍ଟା ପ୍ରଶାନ୍ତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ କଟକ ଜିଲ୍ଲାର ସାଧାରଣ ସଂପାଦକ ଗୌରଚନ୍ଦ୍ର ସାହୁ , ଅଜୟ କୁମାର ପଣ୍ଡା, ସ୍ଵରାଜ କୁମାର ପଣ୍ଡା, ପ୍ରଦୀପ କୁମାର ମହାପାତ୍ର, ଜାଫର ଖାନ, ବିଶ୍ୱଜିତ୍ ରାଉତ୍, ପ୍ରଭାତ ସ୍ଵାଇଁ, ରାଧା ମୋହନ ମହାପାତ୍ର, ପନିଆ ଖାଁ, ମାନସ ରଞ୍ଜନ ସାହୁ ଙ୍କ ସହିତ ଆଠଗଡ଼ , ବଡମ୍ବା, ତିଗିରିଆ, ବାଙ୍କୀ, ନରସିଂହପୁର ଚୌଦ୍ବାର, ନିଆଳି ଓ କଣ୍ଟାପଡ଼ା, ବୈଦେଶ୍ୱର ଏବଂ କଳାପଥର ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ସଂଘର କର୍ମକର୍ତ୍ତା ମାନେ ମନ୍ତ୍ରୀଙ୍କ ପାଖରେ ସାମ୍ବାଦିକ ସୁରକ୍ଷା ସଂପର୍କରେ ଦାବି ଉପସ୍ଥାପନା କରିଥିଲେ । ମନ୍ତ୍ରୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନେବାକୁ ପାଇଁ ପ୍ରତିଶୃତି ଦେଇଥିଲେ । ତିଗିରିଆ ଡିଏମ ମ୍ୟୁଜିକ୍ ପକ୍ଷରୁ ଗୀତିକାର ପୂର୍ଣ୍ଣଚନ୍ଦ୍ର ଦାଶ ଓ ସାଥି କଳାକାର ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଶେଷରେ କଟକ ଜିଲ୍ଲା ସଂପାଦକ ଶୁଭେନ୍ଦୁ ମହାପାତ୍ର ଉପସ୍ଥିତ ସମସ୍ତ ଅତିଥି , ସାମ୍ବାଦିକ ଓ ଦର୍ଶକ ମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

