ମା’ ଭଗବତୀଙ୍କ ପୀଠରେ ବକୁଳ ଲାଗି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମା’ଭଗବତୀଙ୍କ ପୀଠରେ ବାରମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ପ୍ରତ୍ୟେକ ଋତୁରେ ମା, ଭଗବତୀଙ୍କ ପୀଠରେ ପାଳିତ ହୋଇଥାଏ ବିଭିନ୍ନ ପାର୍ବଣ ! ଉତ୍ସବକୁ ନେଇ ଏହି ପିଠ ସଦାସର୍ବଦା ଚଳଚଞ୍ଚଳ ରହିଥାଏ । ତେବେ ପୌଷ ର ଶୀତଳ ସ୍ପର୍ଶରେ ଘୋଡ଼ଲାଗି ହୋଇଛନ୍ତି ମା’ । ପୌଷମାସର ଅମାବାସ୍ୟାକୁ ବକୁଳ ଲାଗି ଅମାବାସ୍ୟା ଭାବରେ ଓଡ଼ିଶାର ପ୍ରଧାନ ପର୍ବ କୁହାଯାଉଥିବା ବେଳେ, ଘରେ ଘରେ ନୂଆ ଚାଉଳ ଚୁନା , ଗୁଡ଼, ନଡ଼ିଆ, କ୍ଷୀର, କାଜୁ ମସଲାରେ ତିଆରି ଗଇଣ୍ଠା ଲାଗି ହୋଇଥାଏ । ପ୍ରଥମ ବକୁଳ ଦେବା ଦେବୀଙ୍କୁ ଲାଗି କରାଯାଇଥିବା ବେଳେ ମା’ ଭଗବତୀଙ୍କ ପୀଠରେ ନୂଆ ଚାଉଳର ଚୁନା , ଗୁଡ଼, ନଡ଼ିଆ, ଘିଅ,ଗଇଣ୍ଠା ସହ ବକୁଳ ଲାଗି କରାଯାଇଛି ।

ଶୁକ୍ରବାର ପୂର୍ବାହ୍ନରୁ ରାତ୍ରୀ ଯାଏଁ ମା’ ଭଗବତୀଙ୍କ ପୀଠରେ ବିଭିନ୍ନ ପୂଜା ଅର୍ଚ୍ଚନା କରାଯାଇଥିବା ବେଳେ ତନ୍ମଧ୍ୟରୁ ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ, ସର୍ବ ସାଧାରଣ ଦର୍ଶନ ସହିତ ରାଜଭୋଗ ଖେଚଡ଼ି ଡାଲି ଧୂପ ପରେ ମଧ୍ୟାହ୍ନରେ ଅନ୍ନ , ମହୁର, ଡାଲି, କ୍ଷୀରୀ ଭୋଗ କରାଯାଇଥିଲା । ସଂଧ୍ୟା ପରେ ପରେ ପୀଠ ଧୋପଖାଳ ହୋଇ ଖଜା, କାନ୍ତି, ପୁଳି ,ଖେଇ, ସରପୁଳି, ମାଠ ପୁଳି, ଧୂପ ପରେ ଆଳତି କରି ପରିଛା ସାମନ୍ତଙ୍କ ଦ୍ୱାରା ବକୁଳ ଲାଗି ନୀତି ସମ୍ପନ୍ନ ହୋଇଥିଲା । ଏହି ଅବସରରେ ସୁପକାର ମୁହଁରେ ତୁଣ୍ଡି ବାନ୍ଧି ଗଇଣ୍ଠା ଆଣି ମା’ ଙ୍କ ଭୋଗ ମଣ୍ଡପରେ ଠା କରିବା ପରେ ଘଣ୍ଟ କାହାଳି ବାଜି ପାଳିଆ ମାଳି ଯୋଗାଇଥିବା ବକୁଳ ସହିତ ଧୂପ ହୋଇଥିଲା । ପରେ ପରେ ବଡ଼ସିଂହାର ହୋଇ ମା’ଙ୍କ ପହୁଡ଼ ନୀତି ସରିଥିଲା । ଏହି ଅବସରରେ ଶ୍ରଦ୍ଧାଳୁ ମାନଙ୍କୁ ମା’ଙ୍କ ଗଇଁଠା ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *