ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମରାଳ ମାଳିନୀ ନଳାମ୍ବୁ ଚିଲିକା କୁ ଚଳିତ ବର୍ଷ ୧୮୪ ପ୍ରଜାତିର ପକ୍ଷୀ ଆସିଛନ୍ତି । ସେମାନଙ୍କ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ୯୨୯ ରହିଛି । ଗଣନା ସରିବା ପରେ ଏନେଇ ସରକାରୀ ରିପୋର୍ଟ ପ୍ରକାଶ ପାଇଛି । ଗତ ବର୍ଷ ଚିଲିକାକୁ ୧୮୩ ଟି ପ୍ରଜାତିର ପକ୍ଷୀ ଆସିଥିବା ବେଳେ ସେମାନଙ୍କର ସଂଖ୍ୟା ୧୦ ଲକ୍ଷ ୭୪ ହଜାର ୧୭୩ ଥିଲା । ସରକାରୀ ରେକର୍ଡରୁ ଏହା ଜଣାପଡ଼ିଛି । ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ପକ୍ଷରୁ ସମଗ୍ର ଚିଲିକା ଅଞ୍ଚଳରେ ବୁଧବାର ଦିନ ଏହି ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସହଯୋଗରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ପକ୍ଷୀ ବିଶେଷଜ୍ଞ, ବମ୍ବେ ନ୍ୟାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟି (B.N.H.S.)ର ବିଶେଷଜ୍ଞମାନଙ୍କୁ ନେଇ ଗଣନା କରାଯାଇଥିଲା । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ୫ଟି ରେଞ୍ଜ୍ରେ ( ଟାଙ୍ଗୀ, ବାଲୁଗାଁ, ସାତପଡ଼ା, ନୂଆପଡ଼ା ଓ ରମ୍ଭା) ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା କରାଯାଇଥିଲା । ଗୋଟିଏ ଦିନ ପାଇଁ ଏହି ଗଣନା କରାଯାଇଛି । ଏଥିପାଇଁ ୨୧ ଟି ଟିମ୍ ଗଠନ କରାଯାଇ ୧୦୧ ଜଣ ସଦସ୍ୟ ସାମିଲ ହୋଇଥିଲେ । ସୂଚନା ଥାଉକି, ଶୀତ ଋତୁ କାରଣରୁ ଚିଲିକାକୁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ ଆସିଲେଣି । ପକ୍ଷୀଙ୍କ କଳରବରେ ମରାଳ ମାଳିନୀ ନିଳାମ୍ବୁ ଚିଲିକା ମୁଖରିତ ହେଉଛି । ଚିଲିକାକୁ ପ୍ରତିବର୍ଷ ଦେଶ ବିଦେଶରୁ ଏହି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀମାନେ ଆସନ୍ତି । ୟୁରୋପ ମହାଦେଶରୁ ରୁଡିସଲଡକ, ପୂର୍ବ ମହାଦେଶରୁ ରୋଜିଷ୍ଟୋଲିଙ୍ଗ, ଭଡିଟର ଫ୍ଲାଏକେଚର, ରେଡକ୍ରେଷ୍ଟେଟ୍, ପୋଚାର୍ଡ, ଲିଟିଲଗ୍ରେବ, ବ୍ଲାକ ବେଲିଡ୍ ଟର୍ନ, ପେଲିକାନପେରି ଭଳି ପ୍ରମୁଖ ବିରଳ ପକ୍ଷୀ ଶୀତଦିନରେ ଆସି ଚିଲିକାର ଶୋଭା ବଢ଼ାନ୍ତି ।
ଚିଲିକାରେ ସରିଲା ପକ୍ଷୀ ଗଣନା : ଚଳିତ ବର୍ଷ ଆସିଛନ୍ତି ୧୧ ଲକ୍ଷରୁ ଉର୍ଦ୍ଧ୍ବ ପକ୍ଷୀ !!!

