ପ୍ରେମ, ପ୍ରତାରଣା, ଧାରଣା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପବଜି ଖେଳରୁ ଆରମ୍ଭ ହୋଇଥିଲା ସମ୍ପର୍କ । ହାଲୋ ହାଏ ପରେ ପ୍ରେମ ନିବେଦନ ! ଦୀର୍ଘ ଏକ ବର୍ଷ ପରେ ଯୁବକଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଥିଲେ ଯୁବତୀ । ଆଉ ଏହାପରେ ଦେଖା ସାକ୍ଷାତ ଓ ବୁଲାବୁଲା ପରେ ନିବିଡ ହୋଇଥିବା ପ୍ରେମ ସମ୍ପର୍କ । ମନ୍ଦିରରେ ଯୁବତୀଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ ଯୁବକ । କଥା ଦେଇଥିଲେ ଜୀବନସାରା ସାଥିରେ ରଖିବେ । କିନ୍ତୁ ବିବାହକୁ ମାସେ ନପୁରୁଣୁ ଯୁବତୀଙ୍କୁ ଆଉ ଧରା ଛୁଆଁ ଦେଉ ନାହାନ୍ତି ଯୁବକ । ଶେଷରେ ପ୍ରତାରଣାର ଶିକାର ହୋଇ ପ୍ରେମିକର ଘର ସମ୍ମୁଖରେ ଧାରଣରେ ପ୍ରେମିକା ।

ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳରେ । ସମ୍ପୃକ୍ତ ଯୁବକ ହେଉଛନ୍ତି ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା । ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ପାଞ୍ଚ ବର୍ଷ ତଳେ କେନ୍ଦ୍ରାପଡା ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା ଓ ଯାଜପୁରର ରଶ୍ମିତାଙ୍କ ମଧ୍ୟରେ ପବଜି ଖେଳ ମାଧ୍ୟମରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ରଶ୍ମିତାଙ୍କୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ ଜ୍ୟୋତିଶ । ଏହାର ଗୋଟିଏ ବର୍ଷ ପରେ ଜ୍ୟୋତିଶଙ୍କ ନିବେଦନକୁ ଗ୍ରହଣ କରିଥିଲେ ରଶ୍ମିତା । ଏହାପରେ ଯାଜପୁର ଚଣ୍ଡିଖୋଲ ମହାବିନାୟକ ମନ୍ଦିରରେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା । ଧିରେ ଧିରେ ସମ୍ପର୍କ ନିବିଡ ହେବା ପରେ ଉଭୟ ବିଭିନ୍ନ ସ୍ଥାନ ବୁଲାବୁଲି କରିବା ସହ ସୋସିଆଲ ମିଡିଆରେ ରିଲ୍ସ ମଧ୍ୟ କରୁଥିଲେ । ଏହାପରେ ସେମାନେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଗତ 10 ଦିନ ତଳେ ପୁରୀ ଯାଇ ରଶ୍ମିତାଙ୍କ ମଥାରେ ସିନ୍ଦୁର ପିନ୍ଧାଇଥିଲେ ଜ୍ୟୋତିଶ ରଞ୍ଜନ । କଥା ଦେଇଥିଲେ କେବେ ଏକା କରି ଛାଡି ଚାଲିଯିବେ ନାହିଁ । ଏହାପରେ ଉଭୟ ହୋଟେଲରେ ରହିବା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । କିନ୍ତୁ ଏବେ ଆଉ ରଶ୍ମିତାଙ୍କୁ ଧରା ଛୁଆଁ ଦେଉନାହାନ୍ତି ଜ୍ୟୋତିଶ । ରଶ୍ମିତାଙ୍କ ଫୋନ ନଉଠାଇବାରୁ ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ପ୍ରେମିକର ଘର ଆଗରେ ବସିଛନ୍ତି ପ୍ରେମିକା । ଜ୍ୟୋତିଶଙ୍କ ଘର ଲୋକେ ରଶ୍ମିତାଙ୍କୁ ଗ୍ରହଣ କରିବେନି ବୋଲି ରୋକଠୋକ ମନା କରିବା ସହ ଘର ଆଗରୁ ପଳାଇବାକୁ କହିଛନ୍ତି । ଅନ୍ୟପଟେ ବିବାହ ନହେବା ପର୍ଯ୍ୟନ୍ତ ପ୍ରେମିକ ଘର ସାମ୍ନା ରୁ ଉଠିବେନାହିଁ ବୋଲି କାନ୍ଦି କାନ୍ଦି କହିଛନ୍ତି ରଶ୍ମିତା, ଘଟଣା ସ୍ଥଳ ରେ ନିକିରେଇ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି !

Leave a Reply

Your email address will not be published. Required fields are marked *