ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଠାରେ ଆଗାମୀ ଜୁନ୍ ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଆଗାମୀ ଜୁନ୍ ୧ ତାରିଖ ଠାରୁ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଦଳରେ ଅଧିକରୁ ଅଧିକ ସଦସ୍ୟ ଯୋଡିବା ନିମନ୍ତେ ଅଭିଯାନ ଜାରି ରହିବ। ଜୁନ୍ ୧୦ ତାରିଖରେ ସମସ୍ତ ୱାର୍ଡର ନୂଆ ଏବଂ ପୁରୁଣା ସଦସ୍ୟଙ୍କୁ ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ମ୍ୟୁନିସିପାଲିଟି ଏବଂ ପଞ୍ଚାୟତ ସ୍ତରରେ ଦଳୀୟ ସଂଗଠନକୁ ପହଞ୍ଚାଇବା ନିମନ୍ତେ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯିବ। ଜୁନ୍ ମଧ୍ୟ ଭାଗରେ ଆସିବାକୁ ଥିବା କେନ୍ଦ୍ରୀୟ ଟିମ୍ ଦ୍ବାରା ନିଯୁକ୍ତ ସହ ପ୍ରଭାରୀଙ୍କ ମାର୍ଗ ଦର୍ଶନରେ ପ୍ରସ୍ତୁତ ଯୋଜନାକୁ କିପରି ସଫଳକାମୀ କରାଯାଇ ପାରିବ ସେଥି ନିମନ୍ତେ ଏହି ପ୍ରସ୍ତୁତି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ସଦସ୍ୟ ଯୋଡ଼ ଅଭିଯାନକୁ ସଫଳ କରିବା ନିମନ୍ତେ ସମସ୍ତ କାର୍ଯ୍ୟକର୍ତ୍ତା ନିଜର ଅଧିକ ସମୟ ଓ ପରିଶ୍ରମ ବିନିଯୋଗ କରିବା ପାଇଁ ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଏବଂ ସାଧାରଣ ସମ୍ପାଦକ ଶ୍ରୀ ଶୈଳେନ୍ଦ୍ର କୁମାର ସ୍ବାଇଁ ନିବେଦନ କରିଛନ୍ତି। ସମସ୍ତ ଗଣ ମାଧ୍ୟମ, ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ପୋଷ୍ଟର ଓ ପ୍ରଚାର ପତ୍ର ମାଧ୍ୟମରେ ଏହି ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୁବନେଶ୍ୱର ଜିଲ୍ଲା ସଂଗଠନରେ ଯୋଡ଼ି ହେବା ପାଇଁ ୭୮୫୫୮୭୩୧୦୯ ନମ୍ବରରେ ଯୋଗାଯୋଗ କରିବାକୁ ମଧ୍ୟ ଜିଲ୍ଲା ସଂଗଠନ ତରଫରୁ ଅନୁରୋଧ କରାଯାଇଥିଲା।
ଆମ୍ ଆଦମୀ ପାର୍ଟି, ଭୁବନେଶ୍ୱରର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ !!!

