ଲମତାପୁଟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲମତାପୁଟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ଓ ଆଇ ଟି ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଯୋଗଦେଇ ଭୂମି ପୂଜନ କରିବା ସହ ବିଦ୍ୟାଳୟ ପ୍ରକଳ୍ପର ରୂପରେଖ ଉପରେ ବିସ୍ତୃତ ଆଲୋକପାତ କରିଛନ୍ତି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପାଇଁ ଏହି ଆଦର୍ଶ ବିଦ୍ୟାଳୟ ମୂଳ ଉଦ୍ଦେଶ୍ୟ ରଖି ଗଢ଼ି ଉଠିବ । ପାଞ୍ଚ ଏକରରୁ ଅଧିକ ଜମିରେ ଏହାର ନିର୍ମାଣ ହେବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟରେ 204ଟି ଆଦର୍ଶ ବିଦ୍ୟାଳୟର ଭୂମି ପୂଜନ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟର 198ଟି ପରେ ଏବେ 2200 ରୁ ଅଧିକ ନୂତନ ବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା ଚାଲିଛି । ସରକାରୀ ବିଦ୍ୟାଳୟକୁ ବେସରକାରୀ ବିଦ୍ୟାଳୟ ସମାନ ସୁବିଧା ଯୋଗାଇବା ଲକ୍ଷ୍ୟ ନେଇ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଆଞ୍ଚଳିକ ଭାଷାରେ ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମାଛକୁଣ୍ଡ ଅଞ୍ଚଳରେ ଟାୱାର ସ୍ଥାପନ ଏବଂ ଜିଲ୍ଲାରେ 221 ଟି ଟାୱାର ଯୋଜନା ରହିଛି । ରାଜ୍ୟରେ 4000 ରୁ ଅଧିକ ନେଟୱର୍କ ସ୍ଥାପନ ପାଇଁ ଏମଓୟୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଅଞ୍ଚଳ ନକ୍ସଲମୁକ୍ତ ହେବା ସହ ଡିଜିଟାଲ ଶିକ୍ଷାରେ ଆଗକୁ ବଢ଼ିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଯୋଜନା ମାଧ୍ୟମରେ ତିନି କୋଟିରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳୁଛି । ରାଜ୍ୟରେ 450 ରୁ ଅଧିକ ନୂତନ ଆମ୍ବୁଲାନ୍ସ କ୍ରୟ ହୋଇଛି ଏବଂ 6000ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି । ପରିବେଶ ସୁରକ୍ଷା, କୋରାପୁଟ କଫିର ଆନ୍ତର୍ଜାତିକ ପରିଚୟ ଓ ଚାଷୀଙ୍କୁ ପଟା ପ୍ରଦାନ ନେଇ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜ଼ିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଙ୍କ ସମେତ ବହୁ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *