ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶିକ୍ଷାକୁ ବ୍ୟବସ୍ଥିତ ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ନିମନ୍ତେ ଛାତ୍ରଛାତ୍ରୀମାନେ ଜନ୍ତରମନ୍ତରଠାରେ ଯେଉଁଭଳି ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିଲେ ଏବଂ ପରିଶେଷରେ ସେମାନଙ୍କର ଦାବିକୁ ଗ୍ରହଣ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବାରୁ ଦେଶର କୋଣ ଅନୁକୋଣରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ସଚେତନ ନାଗରିକ ମାନେ ମାଷ୍ଟର କ୍ୟାଣ୍ଟିନଠାରେ ଏକ ଉତ୍ସବ ପାଳନ କରି ଛାତ୍ର ଛାତ୍ରୀଙ୍କ ବିଜୟକୁ ସମ୍ମାନ ଜଣାଇଥିଲେ। ବିଗତ ଦିନରେ ଏହି ଛାତ୍ରଆନ୍ଦୋଳନକୁ ସମର୍ଥନ କରି ଭୁବନେଶ୍ୱରର ସଚେତନ ନାଗରିକଙ୍କ ତରଫରୁ ଧରଣା ଜ୍ଞାପନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ପ୍ରତି ଜନ୍ତରମନ୍ତରଠାରେ ପୋଲିସର ଦମନ ଲୀଳାର ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନଠାରେ ସେମାନେ ଆନ୍ଦୋଳନ କରିବା ସହ ଧରଣା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କର ଆନ୍ଦୋଳନ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱର ସଚେତନ ନାଗରିକମାନେ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରିଆସିଛନ୍ତି। ସେଥିନିମନ୍ତେ ଆଜି ସମସ୍ତ ନାଗରିକ ସମ୍ମିଳିତ ହୋଇ ଛାତ୍ରଛାତ୍ରୀମାନଙ୍କର ଏହିଁ ବିଜୟ ପର୍ବକୁ ଆନନ୍ଦର ସହିତ ପାଳନ କରିଛନ୍ତି।ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥା ସଙ୍ଗଠିତ ହେବା ସହ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିବ ପାଇଁ ଅନେକ ଆଶା ପୋଷଣ କରିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି କୌଣସି ପ୍ରକାର ବୈମାତ୍ରୁକ ମନୋଭାବ ନ ରଖି ସେମାନଙ୍କ ଦାବିକୁ ସମ୍ମାନପୂର୍ବକ ଯଥାଯଥ ପୂରଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଛାତ୍ରମାନେ ଯେହେତୁ ଦେଶର ଭବିଷ୍ୟତ ଏବଂ ସେମାନଙ୍କର ଭବିଷ୍ୟତ ଉଜ୍ୱଳ ହେଲେ ରାଷ୍ଟ୍ରର ମଧ୍ୟ ମଙ୍ଗଳ ହେବ ବୋଲି ସମସ୍ତେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ଆଗାମୀ ଦିନରେ ଛାତ୍ରଙ୍କର ସମସ୍ତ ଦାବି ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଯାହା କିଛି ପଦକ୍ଷେପ ନିଆଯିବ ସେଥି ନିମନ୍ତେ ସଚେତନ ନାଗରିକମାନେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଛନ୍ତି। ପୋଲିସ ଲାଠି ଚାଳନାରେ ଆହତ ହୋଇଥିବା ଛାତ୍ର ଛାତ୍ରୀଙ୍କୁ କ୍ଷତିପୂରଣ ଦେବାସହ କ୍ରୁର ପୋଲିସ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି। ଏହି ବିଜୟ ଉତ୍ସବରେ ନିଶିକାନ୍ତ ମହାପାତ୍ର, ସୁରେଶ ପାଣିଗ୍ରାହୀ, ସ୍ଵାଧୀନ ପଟ୍ଟନାୟକ, ସୁଦର୍ଶନ ଦାସ୍, ସଂଘମିତ୍ରା ସାହୁ, ପ୍ରଦୀପ୍ତ ନାୟକ , କଲ୍ୟାଣ ଆନନ୍ଦ, ସନ୍ଦୀପ୍ତ ଦାସ୍, ଶ୍ରୀକାନ୍ତ ପାଣି, ସିଦ୍ଧାର୍ଥ ପରିଡ଼ା, ଜୟସୁର୍ଯ୍ୟ କାନୁନଗୋ, ଲଳିତ ମୋହନ ଅଧିକାରୀ, ଅମିୟ ଶର୍ମା, ଜ୍ୟୋତିର୍ମୟୀ ଖଟୁଆ, ଶାରଦା ଦାଶ, ଲଲାଟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା : ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନର ବିଜୟ !!!

