ମାନବ ସେବା ହିଁ ମାଧବ ସେବା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶରା ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ନୂତନ ଭାବେ ରେଡକ୍ରସ ୟୁନିଟି ଖୋଲା ଯାଇ, ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭିକାରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରରେ ବିଦ୍ୟାଳୟରୁ ୧୫୦ ଜଣ ଜୁନିଅର ଯୋଗଦାନ କରି ରେଡକ୍ରସ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଉକ୍ତ ଶିବିରରେ ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଦ୍ୟାଳୟରେ ରେଡକ୍ରସର ଭୂମିକା ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା,ବିଦ୍ୟାଳୟ ସ୍ତରରେ ବିଭିନ୍ନ କମିଟି ଗଠନ ଓ ୟୁନିଟ ଖୋଲିବା, ରକ୍ତସ୍ରାବ, ଅସ୍ଥିଭଙ୍ଗ, ବଜ୍ରପାତ, ସାପକାମୁଡା, କୁକୁର କାମୁଡା ଆଦି ବିଷୟରେ ଜୁନିଅର ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଇଥିଲା। ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସର ସମ୍ବଳ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶିଅଳ ଯୋଗଦାନ କରି ଜୁନିଅର ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ମୋହନା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମଦନ କହଁର, କ୍ଲଷ୍ଟରର ସି ଆର ସି ସି ମହୋଦୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଜୁନିଅର ରେଡକ୍ରସର ପରାମର୍ଶଦାତା ଶ୍ରୀଯୁକ୍ତ ରବିନାରାୟଣ ମହାରଣା ଉପସ୍ଥିତ ରହି ତାଲିମ ଶିବିରକୁ ପରିଚାଳନା କରିଥିଲେ। ପରିଶେଷରେ ଜୁନିଅର ମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ସମସ୍ତ ସହକର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *