ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ : ତିନି ଅଭିଯୁକ୍ତ ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚନ୍ଦନ କାଠ ଚୋରା ଚାଲାଣ ଉପରେ ଗଜପତି ଜିଲ୍ଲା କାଶୀନଗର ଥାନା ପୁଲିସର ଚଢ଼ାଉ ହୋଇଛି। ପାରଳାଖେମୁଣ୍ଡି-ଗୁଣୁପୁର ରାଜ୍ୟ ରାଜପଥର ଖାରଡ଼ା ଛକ ନିକଟରେ ଏକ ଅଟୋରେ ଚୋରା ଚାଲାଣ ହେଉଥିବା ୧୦୫ କିଲୋ ଚନ୍ଦନ କାଠ ପୁଲିସ ଜବତ କରିଛି। ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଚୋରା ଚାଲାଣ ଘଟଣାରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଚନ୍ଦନ କାଠ ପରିବହନରେ ବ୍ୟବହୃତ ହୋଇ ଥିବା ଅଟୋକୁ ଜବତ କରିଛି। ପୋଲିସ କହିଛି କାଶୀନଗର ଥାନା ଏ ଏସ୍‌ ଆଇ ଆର୍‌.କେ. ଚୌଧୁରୀଙ୍କ ନେତୃତ୍ୱରେ ଟିମ୍‌ ଗୁରୁବାର ସକାଳୁ ଖାରଡ଼ା ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ଅଟୋରେ ଚୋରା ସାମଗ୍ରୀ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୋଲିସ ନଜର ରଖିଥିବା ବେଳେ ଉକ୍ତ ଅଟୋଟି ସେହି ରାସ୍ତାରେ ଆସୁଥିବା ଦେଖି ଅଟକାଇଥିଲା।ପୋଲିସ ଗାଡ଼ିକୁ ଦେଖି ଅଟୋ ଚାଳକ ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଅଟୋ କୁ କାବୁ କରି ଅଟୋକୁ ଯାଞ୍ଚ କରାଯିବାରୁ ୫ଟି ବ୍ୟାଗ୍‌ ଭିତରେ ଚନ୍ଦନ କାଠ ରଖାଯାଇଥିବା ଜଣାପଡ଼ିଥିଲା। ଓଜନ କରାଯିବା ପରେ ଏଥିରୁ ମୋଟ ୧୦୫ କିଲୋ ଚନ୍ଦନ କାଠ ମିଳିଥିଲା। ଏଥିସହ ୩ଟି ମୋବାଇଲ୍‌ ଫୋନ୍‌, ନଗଦ ୪ ହଜାର ଟଙ୍କା ସହ ଅଟୋକୁ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁସୁମୀ ଗ୍ରାମର ସିରାଜ ଖାନ୍‌, ଆକ୍ରମ ଖାନ୍‌ ଏବଂ ଗଜପତି ଜିଲ୍ଲା ରାମଗିରି ଥାନାର ସାନଶଢ଼। ଗ୍ରାମର ଦାମୋଦର ପ୍ରଧାନ। ଏନେଇ କାଶୀନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ଆଇ ପଞ୍ଚାନନ ବେହେରା ଘଟଣାର ତଦନ୍ତ ଚଳାଇଛନ୍ତି। ଚନ୍ଦନ କାଠ କେଉଁଠାରୁ ଆସିଥିଲା ଏବଂ ଏହା କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *