ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମାଜର ଉପେକ୍ଷିତ ତଥା ପଛୁଆ ବର୍ଗର ଶିଶୁମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଓ ଉତ୍ତମ ସଂସ୍କାର ବିସ୍ତାର କରିବା ଲକ୍ଷ୍ୟରେ ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ ! ଆଜି ପୂର୍ବାହ୍ନରେ ସ୍ଥାନୀୟ ଘାସି ସାହି ବସ୍ତି ପରିସରରେ ଏବଂ ଅପରାହ୍ନରେ ଗୁମ୍ମା ବ୍ଲକ ଅନ୍ତର୍ଗତ ବିଡୁଆ ଗ୍ରାମରେ ଅନୁଷ୍ଠିତ ଗଣେଶ ପୂଜା ମଣ୍ଡପରେ ଶିଶୁମାନଙ୍କୁ ନେଇ ସ୍ୱତନ୍ତ୍ର ସଚେତନତା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ତଥା ଶିକ୍ଷାବିତ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଶିଶୁମାନଙ୍କୁ ମାର୍ଗଦର୍ଶନ ଦେଇ ଶ୍ରୀଗଣେଶ ଚତୁର୍ଥୀ ଓ ରାଧାଷ୍ଟମୀର ପାରସ୍ପରିକ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଦର୍ଶାଇଥିଲେ ଯେ, ଶ୍ରୀଗଣେଶ ହେଉଛନ୍ତି ବିଦ୍ୟା, ବୁଦ୍ଧି ଓ ସଦ୍ବିବେକର ମୂଳ ଉତ୍ସ ଏବଂ ଶ୍ରୀରାଧାରାଣୀ ହେଉଛନ୍ତି ପବିତ୍ର ଭକ୍ତି, ସ୍ନେହ ଓ ନିଃସ୍ୱାର୍ଥପର କରୁଣାର ପ୍ରତୀକ। ଜୀବନରେ କେବଳ ପୋଥିଗତ ବିଦ୍ୟା ବା ବୁଦ୍ଧି ଯଥେଷ୍ଟ ନୁହେଁ; ବୁଦ୍ଧି ସହିତ ଯେତେବେଳେ ହୃଦୟରେ ଦୟା, ନମ୍ରତା ଓ ଭକ୍ତିଭାବ ଯୋଡ଼ିହୁଏ, ସେତେବେଳେ ଯାଇ ଜଣେ ଶିଶୁ ଉତ୍ତମ ଚରିତ୍ରବାନ ମଣିଷ ଭାବେ ଗଢ଼ିଉଠେ । ଶିଶୁମାନେ ପ୍ରଭୁ ଗଜାନନଙ୍କ ଭଳି ମାତାପିତା ଓ ଗୁରୁଜନଙ୍କୁ ଭକ୍ତି କରିବା, ଖରାପ ଅଭ୍ୟାସ ଓ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ନିୟମିତ ବିଦ୍ୟାଳୟ ଯାଇ ପାଠ ପଢ଼ିବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଗ୍ରାମୀଣ ତଥା ବସ୍ତି ଅଞ୍ଚଳର କୁନି କୁନି ପିଲାମାନଙ୍କ ଭିତରେ ଏଭଳି ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଆୟୋଜନକୁ ଉଭୟ ଅଞ୍ଚଳର ମୁରବୀ ତଥା ଯୁବଗୋଷ୍ଠୀ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଶିଶୁଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା।
ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ସଂସ୍କାର ଓ ସଦ୍ବୁଦ୍ଧିର ବାର୍ତ୍ତା !!!

