ରାମକୀ କାରଖାନା ସମ୍ମୁଖରେ ଟସର ଚାଷୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଗଣଧାରଣା ଜାରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାମକୀ କାରଖାନାର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ବଢ଼ିଲା ଅସନ୍ତୋଷ, ସୁକିନ୍ଦା ଟସର ଫାର୍ମର ଭବିଷ୍ୟତ ନେଇ ଚିନ୍ତା ! ସ୍ଥାୟୀ ସମାଧାନ ନହେଲେ ଆନ୍ଦୋଳନ ଜୋରଦାର ଚେତାବନୀ । ସୁକିନ୍ଦା ତହସିଲ ଅନ୍ତର୍ଗତ କଞ୍ଚିଚୁଆସ୍ଥିତ ରାମକୀ କାରଖାନାର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହୋଇଛି । କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଯୋଗୁଁ ପରିବେଶ ଓ ଭୂତଳ ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ କରି ଟସର ଚାଷୀ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କାରଖାନା ସମ୍ମୁଖରେ ଗଣଧାରଣା ଜାରି ରହିଛି । ଅଭିଯୋଗ ଅନୁଯାୟୀ, କାରଖାନାରୁ ନିର୍ଗତ ରାସାୟନିକ ବର୍ଜ୍ୟବସ୍ତୁ ଯୋଗୁଁ ନିକଟସ୍ଥ ସରକାରୀ ଟସର ଫାର୍ମରେ ହଜାର ହଜାର ଅର୍ଜୁନ ଗଛ ଓ ଘାସ ନଷ୍ଟ ହେଉଛି। ପ୍ରାୟ ୩୦ ହେକ୍ଟର ଜମିରେ ଗଢ଼ି ଉଠିଥିବା ଏହି ଟସର ଫାର୍ମ ଉପରେ ଶତାଧିକ ଆଦିବାସୀ ପରିବାରଙ୍କ ଜୀବିକା ନିର୍ଭର କରୁଥିବାରୁ ଏହାର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି । ଏଥିସହିତ କଞ୍ଚିଚୁଆ, ଦଲକି, ହରିଡ଼ାବାହାଳୀ, ପୁରୁଣାପାଣି ଓ ଭାଲୁକିପାତଳା ଆଦି ଗ୍ରାମରେ ଭୂତଳ ଜଳ ପ୍ରଦୂଷଣ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶେଷକରି ଚର୍ମ ଓ କିଡନୀ ଜନିତ ରୋଗ ବଢ଼ୁଥିବା ନେଇ ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି ଅଭିଯୋଗ ପରେ ଗତକାଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ମିଳିତ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ବିଭୂତି ସାହୁଙ୍କ ନେତୃତ୍ୱରେ ଦୁଇଟି ଟିମ୍ ବିଭିନ୍ନ ଜଳ ଉତ୍ସରୁ ମୋଟ ୨୨ଟି ନମୁନା ସଂଗ୍ରହ କରିଛନ୍ତି। ଏହି ସମୟରେ କେନ୍ଦ୍ରୀୟ ଲାବରେଟୋରୀର ଜୟଦେବ ମିଶ୍ର, ପରିବେଶ ବିଜ୍ଞାନୀ ହିମାଂଶୁ ସାହୁ, ସମରେନ୍ଦ୍ର ସାହୁ ଓ ସମ୍ପୃକ୍ତ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ଜନସାଧାରଣ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ଭେଟି ନିଜ ଅଞ୍ଚଳର ସମସ୍ୟା ଓ ଜୀବନଜୀବିକା ପ୍ରତି ସୃଷ୍ଟି ହୋଇଥିବା ଆଶଙ୍କା ସମ୍ପର୍କରେ ଅବଗତ କରାଇଛନ୍ତି । ତଦନ୍ତ ସମୟରେ ଗ୍ରାମବାସୀମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ କାରଖାନାର ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥାୟୀ ସମାଧାନ, ପ୍ରଦୂଷଣ ରୋକିବା ଓ ଟସର ଫାର୍ମର ସୁରକ୍ଷା ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଧାରଣାରତ ଲୋକେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *