ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଆଠଗଡ଼ ଅବକାରୀ ବିଭାଗର ଚଢ଼ାଉ , ବଡମ୍ବା ରତାପାଟରେ ୨୧୩୫ ଲିଟର ବେଆଇନ ଦେଶୀ ମଦ ଜବତ ! କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରତାପାଟ ଗ୍ରାମରେ ଆଠଗଡ଼ ଅବକାରୀ ବିଭାଗର ଚଢ଼ାଉରେ ବିପୁଳ ପରିମାଣର ବେଆଇନ ଦେଶୀ ମଦ ଜବତ ହୋଇଛି । ମୋଟ ୨୧୩୫ ଲିଟର ଦେଶୀ ମଦ ଜବତ ହେବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏତେ ବିପୁଳ ପରିମାଣର ମଦ ଜବତ ହେବା ପରେ ରତାପାଟରେ ବେଆଇନ ମଦ କାରବାରର ଚେର କେତେ ଦୂର ଲମ୍ବିଛି, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଆଠଗଡ଼ ଅବକାରୀ ବିଭାଗର ଏହି ଚଢ଼ାଉ ପରେ ଏବେ ସାମ୍ନାକୁ ଆସିଛି ବେଆଇନ ମଦ କାରବାରର ଗମ୍ଭୀରତା । ରତାପାଟ ଗ୍ରାମରେ ଏତେ ପରିମାଣର ଦେଶୀ ମଦ ମହଜୁଦ ରଖାଯାଇଥିଲା କେମିତି? ମଦ ଆସୁଥିଲା କେଉଁଠାରୁ? ଏହା ପଛରେ କେଉଁମାନଙ୍କର ହାତ ରହିଛି? ଏତେ ବଡ଼ ପରିମାଣର ମଦ କାରବାର କେବଳ କିଛି ବ୍ୟକ୍ତିଙ୍କ ମଧ୍ୟରେ ସୀମିତ, ନା ଏହା ପଛରେ ରହିଛି ଏକ ବଡ଼ ଯୋଗାଣ ନେଟୱର୍କ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ୨୧୩୫ ଲିଟର ଦେଶୀ ମଦ ଜବତ ହେବା କେବଳ ଏକ ଜବତ ଘଟଣା ନୁହେଁ, ବରଂ ଏହି କାରବାରର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତଦନ୍ତର ଆବଶ୍ୟକତାକୁ ମଧ୍ୟ ସାମ୍ନାକୁ ଆଣିଛି। ମଦର ଉତ୍ସ କ’ଣ, ଏହାର ଯୋଗାଣ କିପରି ହେଉଥିଲା ଏବଂ ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେସବୁ ଦିଗରେ ତଦନ୍ତ ହେଲେ ହିଁ ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇପାରିବ।ଏବେ ସବୁଠାରୁ ବଡ଼ ପ୍ରଶ୍ନ ଆଠଗଡ଼ ଅବକାରୀ ବିଭାଗର ଏହି ଚଢ଼ାଉ ପରେ ତଦନ୍ତ କେବଳ ମଦ ଜବତରେ ସୀମିତ ରହିବ, ନା ବେଆଇନ କାରବାରର ମୂଳ ଉତ୍ସ ପର୍ଯ୍ୟନ୍ତ ପହଞ୍ଚିବ? ଏହି କାରବାରରେ ସମ୍ପୃକ୍ତ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ କି ? ରତାପାଟରୁ ୨୧୩୫ ଲିଟର ଦେଶୀ ମଦ ଜବତ ହୋଇଛି, କିନ୍ତୁ ଏହି ବେଆଇନ କାରବାରର ମୂଳ କେଉଁଠି ଏବଂ ପ୍ରକୃତ ମାଷ୍ଟରମାଇଣ୍ଡ କିଏ ତାହା ଜାଣିବାକୁ ଏବେ ଅପେକ୍ଷା କରିଛି ବଡ଼ମ୍ବା। ଆଠଗଡ଼ ଅବକାରୀ ବିଭାଗର ପରବର୍ତ୍ତୀ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି ସମସ୍ତଙ୍କ ନଜର।

