ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପରେ ମନ୍ଦିରକୁ ବି ଛାଡ଼ିଲେନି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଲୁଟିନେଲେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ଘଟଣା ଘଟିଛି ପାରାଦୀପଗଡ଼ ପଞ୍ଚାୟତ ନିମିଢ଼ି ସିଦ୍ଧେଶ୍ୱର ମନ୍ଦିରରେ । ଖବର ପାଇ ପାରାଦୀପ ଲକ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ଭକ୍ତି ଓ ଆସ୍ଥାର କେନ୍ଦ୍ର ସିଦ୍ଧେଶ୍ୱର ମନ୍ଦିର। ହେଲେ ଏହି ମନ୍ଦିର ଉପରେ ପଡ଼ିଛି ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟି। ମନ୍ଦିରର ତାଲା ଭାଙ୍ଗି ଭିତରେ ପଶିବା ସହ ହୁଣ୍ଡିର ତାଲା ଭାଙ୍ଗି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ସିଦ୍ଧେଶ୍ୱର ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ସମାଗମ ଲାଗି ରହିଥାଏ । ଗତକାଲି ରାତି ପ୍ରାୟ ୯ଟା ସମୟରେ ପୂଜକ ମନ୍ଦିରରେ ପହଡ଼ ପକାଇଥିଲେ । ଏହାପରେ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ପୂଜକ ମନ୍ଦିର ନିକଟରେ ଥିଲେ , ସେହି ସମୟରେ ସେଠାରେ କେହି ନଥିବା ଜଣାପଡ଼ିଛି । କିନ୍ତୁ ସକାଳୁ ପୂଜକ ନିତ୍ୟକର୍ମ ସାରି ମନ୍ଦିରକୁ ଆସିବା ପରେ ଦେଖିବାକୁ ପାଇଥିଲେ ଯେ ମନ୍ଦିରର ତାଲା ଭଙ୍ଗା ଯାଇଛି । ଭିତରେ ହୁଣ୍ଡିର ତାଲା ମଧ୍ୟ ଭଙ୍ଗାଯାଇ ଟଙ୍କା ଲୁଟ୍ ହୋଇଛି। ଏହାପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପାରାଦୀପ ଲକ୍ ଥାନା ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମନ୍ଦିର ତାଲା ଭାଙ୍ଗି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ !!!

