ତାଳଚେର (ଆୱାଜ ମିଡ଼ିଆ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ରାଣିପାର୍କ ଉନ୍ନୟନ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ତାଳଚେର ଗସ୍ତରେ ଥିବା ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଭେଟି ଶତାଧିକ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଆଲୋଚନା ମାଧ୍ୟମରେ ଉନ୍ନୟନ ପରିଷଦର କର୍ମକର୍ତା ପ୍ରକାଶ କରିଥିଲେ କି ୭୦୦ ଏକର ପରିମିତ ରାଣୀପାର୍କ ହେଉଛି ସମଗ୍ର ତାଳଚେର ବାସୀଙ୍କ ଜୀବନ । ତାଳଚେରକୁ ପ୍ରଦୂଷଣରୁ ମୁକ୍ତି ପାଇଁ ତଥା ପରିବେଶକୁ ସନ୍ତୁଳିତ ରଖିବା ଏବଂ ଅତ୍ୟଧିକ ତାପମାତ୍ରାକୁ ରୋକିବା ଦିଗରେ ରାଣୀପାର୍କର ପ୍ରାକୃତିକ ବାତାବରଣ ଅତ୍ୟନ୍ତ ସହାୟକ ହେଉଅଛି . ତେଣୁ ଏହି ରାଣିପାର୍କର ସୁରକ୍ଷା ଅନିର୍ବାଯ୍ୟ ହୋଇପଡିଛି । ଏହାର ଚତୁପାର୍ଶ୍ଵରେ ସୁଉଚ୍ଚ ପାଚେରି ନିର୍ମାଣ ସହ ନନ୍ଦନକାନନ ପରି ଏକ ପ୍ରାଣୀ ଉଦ୍ୟାନ ଖୋଲିବା ପାଇଁ ପ୍ରତିନିଧି ମଣ୍ଡଳୀ ଦାବୀ କରିଛନ୍ତି . ଏବେଠାରୁ ଏହାର ସୁରକ୍ଷା ବିଷୟରେ ଯତ୍ନବାନ ନହେଲେ ଭବିଷ୍ୟତର ପିଢ଼ି ତାଳଚେର ବାସୀଙ୍କୁ କ୍ଷମା ଦେବେ ନାହିଁ । ଏଣୁ ତାଳଚେର ରାଣୀପାର୍କରେ ଏକ ସବୁଜବଳୟ ସୃଷ୍ଟି କରିବା ଆମର କର୍ତ୍ତବ୍ୟ ବୋଲି ଉପସ୍ଥିତ ସମସ୍ତ କର୍ମକର୍ତା ମତବ୍ୟକ୍ତ କରିଥିଲେ । ମାନ୍ୟବର ସାଂସଦ ଏହି ପ୍ରସଙ୍ଗକୁ ଉପର ସ୍ତରରେ ଏହାର ସୁରକ୍ଷା ଓ ଉନ୍ନତି ପାଇଁ ଦାବି ଉଠାଇବେ ବୋଲି କଥାଦେଇ ଉନ୍ନୟନ ପରିଷଦର ସ୍ମାରକପତ୍ରକୁ ଗ୍ରହଣ କରିଥିଲେ। ପ୍ରତିନିଧି ଦଳରେ ପରିଷଦର ସଭାପତି ବାଉରୀବନ୍ଧୁ ବେଜ, ସମ୍ପାଦକ ବାପି ମହାନ୍ତି, ଉପସଭାପତି ତଥା ସାମ୍ବାଦିକ ପ୍ରଦୀପ ମହାରଣା, ରଞ୍ଜିତ ମହାପାତ୍ର, ଉପଦେଷ୍ଟା ଦୀପକ ପ୍ରଧାନ, ଆବାହକ କେଶବ ଭୁତିଆ ପ୍ରମୁଖ ଭାଗନେଇ ସାଂସଦଙ୍କ ସହିତ ଆଲୋଚନା ସହିତ ସ୍ମାରକପତ୍ର ଦେଇଥିଲେ।
ରାଣୀପାର୍କର ସୁରକ୍ଷା ପାଇଁ ଦାବୀପତ୍ର ପ୍ରଦାନ !

