ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବାରଗଡିଆ ହିଙ୍ଗୁଳା ହାଇସ୍କୁଲ ରେ ମଧ୍ୟାହ୍ନ ଭୋଜନ ଟଙ୍କାକୁ ପ୍ରଧାନ ଶିକ୍ଷୟିତ୍ରୀ ହଡ଼ପ କରିଥିବା ଅଭିଯୋଗ ଆସିଛି । ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ନାୟକ ଟଙ୍କା ହଡପ କରିଥିବା ନେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ କରୋନା ମହାମାରୀ ସମୟରେ ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ବଦଳରେ ଛାତ୍ର ଛାତ୍ରୀ ଙ୍କୁ ଟଙ୍କା ଦେବାପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ନାୟକ ସରକାରଙ୍କ ନିର୍ଦ୍ଦେଶକୁ ନମାନି ଛାତ୍ରଛାତ୍ରୀଙ୍କୁ ଟଙ୍କା ଦେବା ବଦଳରେ ନିଜେ ହରିଲୁଟ କରିନେଇଛନ୍ତି । ଏନେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଅଭିଯୋଗ କରିବାରୁ ଓଲଟା ନାଲିଆଖି ଦେଖାଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ନାୟକ । କେବଳ ଏତିକି ନୁହେଁ ସେ ଚାହିଁଲେ ସ୍କୁଲ ରେ ପାଠ ପଢାଇ ଦେବେନାହିଁ ଏବଂ ଫେଲ କରେଇଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅଭିଭାବକ ।