ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଗଞ୍ଜେଇ ଚୋରା ଚାଲାଣକାରୀ ରାକେଟକୁ ଧରିବାରେ ସଫଳ ହୋଇଛି ନୟାଗଡ଼ ଟାଉନ ଥାନା ପୋଲିସ । ନୟାଗଡ଼ ପିଡବ୍ଲ୍ୟୁଡି ଲେନ ନିକଟରେ ଟାଉନ ଥାନା ପୋଲିସ ଫିଲ୍ମ୍ ଷ୍ଟାଇଲରେ ରୋଡ ଉପରେ ଗୋଡାଇ ଗୋଡାଇ ଗଞ୍ଜେଇ ଚୋରା ଚାଲାଣକାରୀ ରାକେଟକୁ ଧରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏସ.ଆଇ ସ୍ମୃତି ରଞ୍ଜନ ମହାନ୍ତି ରୋଡ ଉପରେ ତିନି ଜଣଙ୍କୁ ଗୋଡାଉଥିବାର ଦେଖିବାକୁ ମିଳିଥିଲା। ଗୋଡାଇ ଗୋଡାଇ ଜଣକୁ ଧରି ସ୍ଥାନୀୟ ଲୋକଙ୍କ ଜିମାରେ ଛାଡି ଅନ୍ୟ ଦୁଇଜଣଙ୍କୁ ଗୋଡାଇ ଥିଲେ । ଏବଂ ସେମାନଙ୍କୁ ବଙ୍ଗଳା ପାଖରେ ଧରିବାରେ ସକ୍ଷମ ହୋଇଥିଲେ । ସୂଚନା ଅନୁସାରେ ଟାଉନଥାନା ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଏକ ସାଣ୍ଟ୍ରୋ କାର ବେପରୁଆ ଭାବେ ଆସୁଥିବା ଖବର ପାଇଥିଲେ। ଏହି କାରଟିକୁ କାବୁ କରିବା ପାଇଁ ଏସ ଆଇ ଧର୍ମେନ୍ଦ୍ର ଶିଆଳ ଓ ଟିମ୍ ପିଡବ୍ଲ୍ୟୁଡି କଲୋନୀ ଛକଠାରେ କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କାର ଭିତରୁ ହଠାତ୍ ତିନିଜଣ ବାହାରି ଦୈଡିବାକୁ ଲାଗିଥିଲେ। ଏହି ସମୟରେ ଏସ ଆଇ ସ୍ମୃତି ରଞ୍ଜନ ମହାନ୍ତି ସେମାନଙ୍କୁ ଗୋଡାଇ ଧରିବାରେ ସଫଳ ହୋଇଥିଲେ । ଧରାପଡ଼ିଥିବା ତିନି ଜଣ ବ୍ୟକ୍ତି କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସେମାନେ କନ୍ଧମାଳରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ କରୁଥିବା ଟାଉନଥାନା ଅଧିକାରୀ ଜୟଦିପ ମହାନ୍ତି ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ନିକଟରୁ ପ୍ରାୟ ୩୯ କିଲୋ ୮ ଶହ ଗ୍ରାମ ଗଞ୍ଜେଇ ସହ କାରଟିକୁ ଜବତ କରିଛି ପୋଲିସ ।