ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଯନ୍ତ୍ରଣାରେ ଜର୍ଜରିତ କୈଳାଶଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନକଡବ ଗ୍ରାମର ୩୮ ବର୍ଷୀୟ କୈଳାଶ ଦଳେଇ । ପରିବାରରେ କୈଳାସଙ୍କ ବ୍ୟତିତ ତାଙ୍କ ପତ୍ନୀ, ୪ଟି ନାବାଳିକା ଝିଅ ଓ ଗୋଟିଏ ପୁଅ ଏବଂ ବୃଦ୍ଧ ବାପା ମା । ଜଳଖିଆ ବେପାର କରି ନିଜର ଆଠ ପ୍ରାଣୀ କୁଟୁମ୍ବକୁ ଚଳାଉଥିଲେ କୈଳାଶ । ମାତ୍ର ଏବେ ବ୍ରେନ୍ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇଛନ୍ତି । କରୋନା କଷଣଠାରୁ ତାଙ୍କର ଯନ୍ତ୍ରଣା ଅଧିକ ଦୁଃଖ ଆଣିଦେଇଛି । ଚିକିତ୍ସା କ୍ଷେତ୍ରରେ ଅର୍ଥ ବାଧକ ସାଜିଥିବା ବେଳେ ବର୍ତ୍ତମାନ ସରକାରୀ ଏବଂ ବେସରକାରୀ ସହାୟତା ଏକମାତ୍ର ଭରସା । ଚିକିତ୍ସା ପାଇଁ ଭୁବନେଶ୍ୱରର ଗୋଟିଏ ପରେ ଗୋଟିଏ ମେଡିକାଲ ବୁଲିବା ପରେ ଅର୍ଥ ଅଭାବରୁ ନିଜେ ଚିକିତ୍ସା ହୋଇ ପାରୁ ନାହାନ୍ତି କି ପରିବାରକୁ ଚଳାଇ ପାରୁନାହାନ୍ତି । ମହାମାରୀ କରୋନା ତାଙ୍କର ଜୀବିକା ଛଡାଇ ନେଇଥିଲା ବେଳେ ନିଜର ସମ୍ପତି ବୋଲି କିଛି ନାହିଁ । ରାସନ କାର୍ଡରେ ମିଳୁଥିବା ଚାଉଳ ଏକ ମାତ୍ର ଭରସା । ଏମିତି କି ଦୁଇ ଓଳି ଖାଦ୍ୟ ଯୋଗାଡ କରିବା ପାଇଁ ପଡୋଶୀଙ୍କ ହାତ ଟେକା କୁ ଅନାଇ ବସିଛନ୍ତି ଏହି ପରିବାର । ଜିଲ୍ଲା ପ୍ରଶାସନ ତୁରନ୍ତ କୈଳାଶଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ସହ ତାଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇବାକୁ ସ୍ଥାନୀୟାଵାସୀ ଦାବି କରିଛନ୍ତି ।