ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡାର ନିଆରା ଦୁର୍ଗା ପୂଜା । ଜଗଦ୍ଧାତ୍ରୀ ମା ଜଗତ ଜନନୀଙ୍କ ଦୁର୍ଗାପୂଜାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମାଣିକାଗୋଡ଼ା ଗ୍ରାମରେ । ଭାଇଚାରା ପ୍ରୀତିର ନିଆରା ପରମ୍ପରା । ବିଜୟାଦଶମୀ ତିଥିରେ ଅପରାଜିତା ହୋମରେ କର୍ତ୍ତା ସାଜନ୍ତି ମାଣିକାଗୋଡାର ମୁସଲମାନ ଦଳବେହେରା . ହାତରେ କୁଶବଟୁ ଧାରଣ କରି ହୋମରେ ବସୁଥିବାରା ଏଠାରେ ଦେଖିବାକୁ ମିଳେ । ଓଡିଶା ପ୍ରସିଦ୍ଧ ଏହି ପର୍ବ ଷୋଡଶ ଶତାବ୍ଦୀର ଶେଷ ଭାଗରୁ ଏଠାରେ ପାଳନ ହୋଇଆସୁଥିବାର ଲୋକକଥା ରହିଛି ।
ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ବ୍ଲକର ମାଣିକାଗୋଡା ଗ୍ରାମରେ ହିନ୍ଦୁ ଓ ମୁସଲମାନ ଭାଇମାନେ ମିଳିତ ଭାବେ ଦଶହରା ପର୍ବ ପାଳନ କରି ଆସୁଛନ୍ତି । ରୀତି ନୀତି ଅନୁସାରେ ମା କନକଦୁର୍ଗାଙ୍କ ପୂଜାର୍ଚ୍ଚନା ଉଭୟ ସଂପ୍ରଦାୟର ଭାଇ ଭଉଣୀ ମାନେ ମିଶି କରିଥାନ୍ତି । ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ଦେଖିବା ପାଇଁ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ କିନ୍ତୁ ଏବର୍ଷ କରୋନା କଟକଣାକୁ ନଜରରେ ରଖି ସୀମିତ ସେବାୟତରେ ନିଷ୍ଠାର କେବଳ ପରମ୍ପରାକୁ ପାଳନ କରାଯାଇଛି । ମାଣିକାଗୋଡା ରେ ହିନ୍ଦୁ ମୁସଲମାନ ଏକତାର ପ୍ରତୀକ ଭାଇଚାରା ପର୍ବକୁ ପାଳନ କରୁ ଥିବାର ମହାନ୍ ପରମ୍ପରା ସାମ୍ପ୍ରଦାୟିକ ସଦଭାବନାର ଏକ ଉଦାହରଣ ସାଜିଛି ।ଧାର୍ମିକ ଚିନ୍ତାଧାରାର ଭିନ୍ନତା ସତ୍ତ୍ୱେ ୫୦୦ ବର୍ଷ ଧରି ପୁରୁଷାନୁକ୍ରମେ ଚାଲି ଆସୁଛି ମା କନକଦୁର୍ଗାଙ୍କ ପୂଜାର୍ଚ୍ଚନା । ସପ୍ତମୀ ରାତ୍ରିରୁ ଆରମ୍ଭ ହୋଇଥିବା ଏହି ପର୍ବ ଦଶମୀ ତିଥିରେ ଉଦଯାପନ ହୋଇଛି । ସପ୍ତମୀ ଦିନଠାରୁ ଆରମ୍ଭ ହୋଇ ରୀତିନୀତି ଅନୁଯାୟୀ ଦଶହରା ଦିନ ମାଣିକ ଭୁଇଁଆ ଠାକୁରାଣୀଙ୍କ ପୀଠରୁ କାଳସୀ ଉଭା ହୋଇ ଥାଆନ୍ତି । ସେହି ଠାରୁ ଉଭା ହୋଇ ଆସି ମୁସଲମାନ ଦଳବେହେରାଙ୍କ ଦୁଆରେ ପୂଜା ପାଇଥାନ୍ତି l ଦଳବେହେରାଙ୍କ ଘରେ ଥିବା ଗଜପତିଙ୍କ ଖଣ୍ଡା ମାନସିଂହଙ୍କୁ ଧରିବାକୁ ଦିଅନ୍ତି ନିଜେ ମୁସଲମାନ ଦଳବେହେରା l ଧର୍ମ ନାମରେ ସଂଘର୍ଷ ଘଟି ବିଭିନ୍ନ ସ୍ଥାନରେ ନାରକୀୟ ଘଟଣା ଦୁର୍ଘଟଣା ଘଟୁଥିବା ବେଳେ ମାଣିକାଗୋଡ଼ା ଗ୍ରାମର ଏହି ନିଆରା ପରମ୍ପରା ଉଗ୍ର ମୌଳବାଦୀଙ୍କ ପାଇଁ ଏକ ଉଦାହରଣମୂଳକ ଆୟୋଜନ .