ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ଗ୍ରାମରୁ ଗଂଜାମ ଯିବା ରାସ୍ତାରେ ବାଟରେ ପଡିଥାଏ ରତଦେଇ ଗୁମ୍ଫା . ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ୍ତ ଏହି ରାସ୍ତାରେ କାପ୍ତାପଲ୍ଲୀ ଠାରୁ ୩ କିମି ଯିବାପରେ ଡାହାଣକୁ ଗୋଟିଏ ମାଟି ର ଆବଡ଼ା ଖାବଡ଼ା ରାସ୍ତା କଡ଼ରେ ଡ଼େଙ୍ଗାବାରି, ଭଣ୍ଡାରୀବାରି ଗ୍ରାମର ବୋର୍ଡ ଦେଖିବାକୁ ମିଳେ l ସେହି ଖଚା ରାସ୍ତାରେ ଗଲାବେଳେ ଦେଖିକି ଯିବାକୁ ପଡିବ l କାରଣ ପାଦେ ପାଦେରେ ରହିଛି ବିପଦ, ସାମାନ୍ୟ ଅସାଵଧାନ ହେଲେ ବା ମୋଟର ସାଇକେଲର ଭାରସାମ୍ୟ ବିଗିଡ଼ିଗଲେ ନିଶ୍ଚିତ ଦୁର୍ଘଟଣା l ପାହାଡିଆ ରାସ୍ତାରେ ୨ କିମି ପରେ ଭଣ୍ଡାରୀଵାରୀ ଗ୍ରାମ ପଡିବ l ସିଧା ରାସ୍ତାରେ ସେହିପରି ଆଗକୁ ଯିବେ ପାହାଡ଼ର ପାଦ ଦେଶକୁ କଷ୍ଟେ ମଷ୍ଟେ ମୋଟରସାଇକେଲ ଯାଇ ପାରିବ l ପାହାଡର ପାଦ ଦେଶରେ ଗାଡି ରଖି ପାଦରେ ପାହାଡ଼ ଚଢ଼ିବାକୁ ପଡ଼ିବ, ଆନୁମାନିକ ଦୂରତା ହେଉଛି ଦେଢ଼ କିଲୋମିଟର, ପାହାଡିଆ ରାସ୍ତାରେ ଯିବା ସମୟରେ ମଝି ରାସ୍ତାରେ ବିରାଟ ଶାଳଗଛ ରେ ଛିଟ, ସିନ୍ଦୁର ଲାଗିଥିବାର ଦୃଶ୍ୟ ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କଲାଭଳି ଲାଗେ l ରାସ୍ତାର ଡାହାଣ ପଟରେ କୁଳୁ କୂଳୁ ଶବ୍ଦରେ ବହି ଯାଉଛି ଚୋରସ୍ରୋତା ଝରଣା, ରାସ୍ତାର ସାମାନ୍ୟ ତଳକୁ ଖସିଲେ ଝରଣା ପାଣି ରେ ଗାଧେଇବା ସହିତ ସେଲ୍ଫି ର ମଜା ନେଇଥାନ୍ତି ଦର୍ଶକ l ଅଳ୍ପ ବାଟ ପାହାଡ଼ ଚଢିବା ପରେ ସିଂହଦ୍ଵାର ପଡ଼ିବ, ଶ୍ରଦ୍ଧାଳୁ ମାନଙ୍କୁ ଗୁମ୍ଫା ପରିସର ଓ ଆଖପାଖ ଅଂଚଳ ବୁଲାଇ ଦେଖାଇବା ପାଇଁ ଜଣେ ବାବା ସେଠି ରହୁଛନ୍ତି , ସେ ଦର୍ଶକ ମାନଙ୍କୁ ଗାଇଡ଼ କରି ସବୁଯାଗା ଦେଖାଇଥାନ୍ତି l ଅନେକ ଛୋଟବଡ ଗୁମ୍ଫା ଜଙ୍ଗଲିଆ ଗଛଲତାରେ ପରିପୂର୍ଣ୍ଣ ରତଦେଇ ପାହାଡର ପରିସର l କୋଉ ଯୁଗରୁ କେମିତି ହେଇଚି କହିବା ସମ୍ଭବ ନୁହେଁ l ବିରାଟ ପାହାଡ଼ କାନ୍ଥରେ କାଳଭୈରବ ଚିତ୍ର ଦେଖିପାରିବେ, କିନ୍ତୁ ଭଲରେ ଦେଖିଲେ ପୁରା ଜାଣି ପାରିବେ l ସିଂହଦ୍ଵାର ସମୁଖ ପଥରରେ ଭଲ ଭାବେ ଅନନ୍ତ ନାଗଙ୍କୁ ଦେଖିପାରିବେ l ଖବର ସଂଗ୍ରହ ପାଇଁ ଯିବା ସମୟରେ ବହୁତ କଷ୍ଟରେ ସେଠାରେ ପହଂଚିଥିଲେ ଆମ ପ୍ରତିନିଧି , କୋଉଠି ଶୋଇକି ଯିବାକୁ ପଡୁଛି କୋଉଠି କଡେଇ ହୋଇ ଯିବାକୁ ପଡୁଛି l ଆଜି ପର୍ଯ୍ୟନ୍ତ ଯେଉଁ ସ୍ଥାନକୁ କୌଣସି କ୍ୟାମେରା ଯାଇ ନାହିଁ ଗୁମ୍ଫା ର ସେ ଦୃଶ୍ୟ ସବୁକୁ ଆମ ଦର୍ଶକ ମାନକ ପାଇଁ ଆଣିଛନ୍ତି ଆୱାଜ ମିଡ଼ିଆ ପ୍ରତିନିଧି ସଞ୍ଜୀବ କୁମାର ଡାକୁଆ l ଗୁମ୍ଫାର ଯେଉଁ ସ୍ଥାନରେ ପାତାଳ ଗଙ୍ଗା ଅଛନ୍ତି l ଅନେକ ସାଧକ ସେଠି ସିଦ୍ଧି ପ୍ରାପ୍ତ ହୋଇଛନ୍ତି l କୁହାଯାଏ ସେଠି ମଧ୍ୟ ରାତ୍ରିରେ ଗୁମ୍ଫା ଭିତରୁ ହରିନାମ କୀର୍ତନ ଧ୍ୱନି ଶୁଣାଯାଏ l ତେବେ ରାସ୍ତା ଯେତେ ଦୁର୍ଗମ ହେଉ ପଛେ , ରତାଦେଇ ଗୁମ୍ଫାକୁ ଯାଇଥିବା ଦର୍ଶକ ସେଠାକାର ସୌନ୍ଦର୍ଯ୍ୟରେ ବାନ୍ଧି ହୋଇ ରହିଥାଏ . ତେବେ ସଂପୂର୍ଣ୍ଣ ଅଞ୍ଚଳଟି ରିଜର୍ଭ ଏରିଆ ଏବଂ ତିରିଶ ଭାଗ ନୟାଗଡ଼ ଜିଲା ର ଏବଂ ସତୁରି ଭାଗ ଗଂଜାମ ଜିଲାର ପାହାଡ଼ ହୋଇଥିବାରୁ ଆଜିଯାଏ ରାସ୍ତା ହୋଇପାରୁନାହିଁ l ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକଙ୍କ ବହୁବାର ଦାବୀ ପରେ ଏବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ରତାଦେଇର ପାରିପାର୍ଶିକ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରି ଖୁବ ଶୀଘ୍ର ରାସ୍ତା ନିର୍ମାଣ ହେବ ବୋଲି ପ୍ରକାଶ କରିଛନ୍ତି l ପ୍ରଥମ ପର୍ଯ୍ୟାୟରେ ସେଠାକୁ ମାଟି ରାସ୍ତା ନିର୍ମାଣ କରାଯିବ l ରତଦେଇ ର ବିକାଶ ପାଇଁ ଯଦି ଉଭୟ ନୟାଗଡ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଧ୍ୟାନ ଦିଅନ୍ତେ ତାହେଲେ ରତଦେଇ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହୋଇପାରନ୍ତା ବୋଲି ଲୋକମାନେ ମତ ପ୍ରକାଶ କରିଛନ୍ତି ll