ଖାଲଖମାରେ ଭର୍ତ୍ତି ହୋଇଛି ଅସରଳା – ବାଙ୍କୋଇ ରାସ୍ତା : ପ୍ରତିଦିନ ଘଟୁଛି ଦୁର୍ଘଟଣା

0
376

Loading

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖାଲଖମାରେ ଭର୍ତ୍ତି ହୋଇଛି ଅସରଳା- ବାଙ୍କୋଇ ରାସ୍ତା , ପ୍ରତିଦିନ ଘଟୁଛି ଦୁର୍ଘଟଣା . ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି ଅଞ୍ଚଳ ବାସୀ । ସରକାର ଗ୍ରାମାଞ୍ଚଳରେ ଗମନା ଗମନ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ସେ ଯୋଜନା ଲୋକଙ୍କ ଠାରୁ ଯୋଜନ ଯୋଜନ ଦୂରରେ । ଯନ୍ତ୍ରୀ- ଠିକାଦାର ମଧୁଚନ୍ଦ୍ରିକା କାରଣରୁ ରାସ୍ତା କାର୍ଯ୍ୟ ନିମ୍ନ ମାନର ହେବା ସହିତ ଅଳ୍ପ ଦିନ ରେ ରାସ୍ତା ମରଣଯନ୍ତା ପାଲଟୁଛି । ଯାହାଦ୍ୱାରା ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବୋଲଗଡ଼ ବ୍ଳକ ଅସରଳା ଗ୍ରାମ ର ହରିହର ବିଦ୍ୟାପୀଠ ଠାରୁ ବାଙ୍କୋଇ ସ୍ଥିତ ବାବା ତାରେଶ୍ୱର ମନ୍ଦିର ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତା ର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ଯାନବାହନ ତ ଦୂରର କଥା ପଥଚାରୀ ମାନେ ମଧ୍ୟ ଯିବା ଆସିବା କରିବାରେ ଦୁର୍ଦ୍ଦଶା ଭୋଗୁଛନ୍ତି । ଫଳରେ ଜରୁରୀ କାଳୀନ ସେବା ପାଇଁ ଯାଉଥିବା ବ୍ୟକ୍ତି ବିଶେଷ ଅନନ୍ୟୋପାୟ ହୋଇ ସେହି ରାସ୍ତାରେ ଯାଇ ନର୍କ ଯନ୍ତ୍ରଣା ଭୋଗିବା ସାର ହେଉଛି । ଖରାପ ରାସ୍ତା ଯୋଗୁଁ ଲୋକେ ଚାଲିକି ଯିବା ମୁସ୍କିଲ ହୋଇପଡୁଛି । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ କାହାର ନଜର ନାହିଁ । ରାସ୍ତା ମରାମତି ପାଇଁ ବାରମ୍ବାର ଲୋକେ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁ ନାହିଁ । ଅସରଳା-ବାଙ୍କୋଇ ପଂଚାୟତ କୁ ସଂଯୋଗ କରୁଥିବା ଏହା ଏକମାତ୍ର ମୁଖ୍ୟ ରାସ୍ତା। ଆଉ ଏହାରି ଉପରେ ଚାରୋଟି ପଂଚାୟତର ଅସରଳା , ବାଙ୍କୋଇ,ଗିରିଗିରିଆ, କଅଁରପୁର, ବେଗୁନିଆମୂଳ ସମେତ ଆଖପାଖ ଅଞ୍ଚଳ ଗ୍ରାମର ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରିଥାନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ରାସ୍ତା ଦେଇ ସ୍ୱାସ୍ଥ୍ୟ ସେବା ପାଇଁ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବାଙ୍କୋଇ ରାଜସ୍ବ କାର୍ଯ୍ୟାଳୟ, ମହାବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର ସହ ରାଜସୁନାଖଳା ବଜାରକୁ ଯାତାୟାତ କରିଥାଆନ୍ତି ସ୍ଥାନୀୟ ଲୋକେ । ବର୍ଷାଦିନ ଆରମ୍ଭରୁ ରାସ୍ତା ଅବସ୍ଥା ବେହାଲ ହୋଇଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here