ପରୀ ମାମଲାରେ ମୁଁହ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ !!!

0
656

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପରୀକୁ ନ୍ୟାୟ ମିଳୁ….ସତ୍ୟ ଉନ୍ମୋଚିତ ହେବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା . ନୟାଗଡ଼ର ପରୀ ଘଟଣାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ , ଯଦୁପୁର ନାବାଳିକା ହତ୍ୟା ଘଟଣାରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ନିଜର ମତାମତ ଦେଲେ ମନ୍ତ୍ରୀ ଅରୁଣ ସାହୁ । ସତ୍ୟ ଉନ୍ମୋଚନ ହେଉ, ପୀଡ଼ିତା ନ୍ୟାୟ ପାଉ । ଭଗବାନ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି, ପୀଡ଼ିତା ଅତିଶୀଘ୍ର ନ୍ୟାୟ ପାଉ । ତେବେ ନାବାଳିକା ଘଟଣାରେ ଦୋଷୀକୁ ଧରିବାକୁ ରାଜ୍ୟ ସରକାର ଏସଆଇଟିକୁ ଦାୟିତ୍ୱ ଦେଇଥିଲେ । ଏସଆଇଟି ଏହି ଘଟଣାରେ ସରୋଜ ସେଠୀକୁ ଗିରଫ କରିଛି । କେବଳ ଏତିକି ନୁହେଁ ବରଂ ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ଗତକାଲି ପ୍ରେସମିଟରେ କହିଛି ।
ତେବେ ନାବାଳିକା ଦୁଷ୍କର୍ମ ଘଟଣାରେ ବିଭିନ୍ନ ପ୍ରକାର ତଥ୍ୟ ମିଳିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଘଟଣାରୁ ପରଦା ଉଠୁଥିବା ବେଳେ ଏସଆଇଟି କହୁଥିବା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଅଭିଯୁକ୍ତ ହିଁ ମାନୁ ନାହାନ୍ତି ପୀଡିତାଙ୍କ ପରିବାର । ତେବେ ଏହାରି ମଧ୍ୟରେ ଘନ ଘନ ଯଦୁପୁର ଗସ୍ତ କରୁଛନ୍ତି ଏସଆଇଟଇ ମୁଖ୍ୟ । ସେପଟେ ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍‌କେସ୍‌ ଦାୟର କଲା ଭାରତୀୟ ବିକାଶ ପରିଷଦ । ଏଥିସହ ମାମଲାର ସିବିଆଇ ତଦନ୍ତ ଦାବି ଦୋହରାଇଲା । SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି ସହ ପ୍ରଥମେ ଓ ଏବେ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରିଛି ପରିଷଦ ।
ଏପଟେ ଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାରେ ପ୍ରତି ଘଣ୍ଟାରେ କିଛି ନା କିଛି ଅପଡେଟ୍ ଆସୁଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଗତକାଲି ପୋଖରୀରୁ ନାବାଳିକାର ଲେଗିଙ୍ଗ୍‌ସ ବାହାରିବା ପରେ ଯଦୁପୁରରେ ପହଞ୍ଚିଛନ୍ତି SIT ମୁଖ୍ୟ । ସେଠାରେ ପହଞ୍ଚିବା ପରେ ଓଡ୍ରାଫ୍ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି ବୋଥ୍ରା । ପ୍ରମାଣ ଏକାଠି କରୁଥିବା ଏସଆଇଟି ହାତରେ ଲାଗିଛି ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌ । ନୟାଗଡ଼ ଯଦୁପୁରର ଏକ ପୋଖରୀରୁ ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌ ପୋଲିସ ଉଦ୍ଧାର କରିଛି । ଗତକାଲି ଦିନ ତମାମ ପୋଖରୀର ଜଳ ନିଷ୍କାସନ ପରେ ଏହି ଲେଗିଙ୍ଗସ୍ ମିଳିଛି ।
ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ୧୬ ଘଣ୍ଟା ଧରି ଜଳ ନିଷ୍କାସନ ପରେ ପୋଖରୀକୁ ଶୁଖାଯାଇ ଲେଗିଙ୍ଗସ୍‌କୁ ଉଦ୍ଧାର କରିଥିଲେ । ଲେଗିଙ୍ଗସ୍‌ ମିଳିବା ପରେ ତାକୁ ନିଜ ହେପାଜତକୁ ନେଇଛି SIT । ତେବେ ଯେଉଁ ଲେଗିଙ୍ଗସ୍‌କୁ ପୋଖରୀରୁ ଉଦ୍ଧାର କରାଯାଇଛି ତାହା ପ୍ରକୃତରେ ସଂପୃକ୍ତ ନାବାଳିକାର ନା ନୁହେଁ, ତାକୁ ନେଇ ପ୍ରଶ୍ନ ଉଠିଛି । ନାବାଳିକା ପରିବାର ସଦସ୍ୟଙ୍କ କହିଛନ୍ତି, ଘଟଣା ଦିନ ନାବାଳିକା ପିନ୍ଧିଥିବା ଲେଗିଙ୍ଗସ୍‌ର ରଙ୍ଗ ଥିଲା ନୀଳ ରଙ୍ଗର । ଉଦ୍ଧାର ହୋଇଥିବା ଲେଗିଙ୍ଗସର ରଙ୍ଗ ସ୍ପଷ୍ଟ ହୋଇନଥିବା ବେଳେ ଏସଆଇଟି ପକ୍ଷରୁ ସ୍ପଷ୍ଟ କରାଗଲେ ହିଁ ଏ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ । ସେପଟେ ପୋଖରୀରୁ ଲେଗିଙ୍ଗସ୍‌ ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେଠାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବୋଥ୍ରା । ଆଜି ପୁଣି ଥରେ ଏହି ମାମଲାରେ ଅଧିକ ପ୍ରମାଣ ଖୋଜିବା ପାଇଁ ଚେଷ୍ଟା ଜାରି ରଖିବ ଏସଆଇଟି ଟିମ୍ ।

LEAVE A REPLY

Please enter your comment!
Please enter your name here