ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବିଦ୍ୟାଳୟ ଉପର ଦେଇ ଯାଇଛି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର . କୋମଳମତି ସ୍କୁଲ ପିଲାଙ୍କ ଜୀବନ ସହ ଖେଳ ଖେଳୁଛି ବିଦ୍ୟୁତ ବିଭାଗ ,ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀଙ୍କ ଦ୍ୱାରା ବାରମ୍ବାର ଅଭିଯୋଗ କରାଯିବା ପରେ ମଧ୍ୟ ପଦକ୍ଷେପ ଶୂନ ।
ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ଗ୍ରାମପଞ୍ଚାୟତ ର ଗୋଡିଆଳି ଗ୍ରାମରେ ଏକ ପ୍ରାଇମେରୀ ସ୍କୁଲ୍ , ମାଧ୍ୟମିକ ସ୍କୁଲ୍ ଓ ଅଙ୍ଗନୱାଡି କେନ୍ଦ୍ର ଗୋଟିଏ ହତା ଭିତରେ ଅବସ୍ଥିତ । ପାଖାପାଖି ଶହେ ପଚାଶ ଜଣ ପିଲାଙ୍କୁ ଏହିଠାରେ ଶିକ୍ଷାଦାନ କରାଯାଇଥାଏ । କିନ୍ତୁ ଦୁଃଖର ବିଷୟ ଏଠାରେ ପିଲାମାନଙ୍କ ମୁଣ୍ଡ ଉପରେ ସଦାସର୍ବଦା ବିପଦ ଝୁଲି ରହିଅଛି । ଠିକ୍ ସ୍କୁଲ୍ ମଝି ଉପର ଦେଇ ଯାଇଛି ଏଗାର କେବିର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର । ଯାହାଦ୍ୱାରା କୌଣସି ବି ସମୟରେ ଛୋଟ ଛୋଟ ପିଲାମାନଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ।
ସ୍କୁଲ ର ପ୍ରଧାନ ଶିକ୍ଷକ, ସ୍କୁଲକମିଟି ଓ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଏହି ବିଷୟରେ ଏପରିକି ଦୀର୍ଘ ବାର ବର୍ଷହେବ ବାରମ୍ଵାର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି କାରଣରୁ ଆଜି ପର୍ଯ୍ୟନ୍ତ ତାହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ପାରିନାହିଁ । ଏପରିକି ଅଭିଯୋଗ ପ୍ରତି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବାର ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେବେ କୌଣସି ସମୟରେ ଅଘଟଣ ଘଟି ବିପଦଜନକ ପରିସ୍ଥିତି ସୃଷ୍ଟି ହେଲେ ତାହା ପାଇଁ କିଏ ଉତ୍ତରଦାୟୀ ହେବ ତାହା ପ୍ରଶ୍ନବାଚି !!