କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ମହାବିଦ୍ୟାଳୟ ପରିସରରେ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ . ବିଷ ପାନ କରି ଅବସ୍ଥା ସଙ୍କଟାପନ୍ନ ହେବାରୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର . ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର-ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଆଜି କଲେଜ ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ତେବେ ଆତ୍ମହତ୍ୟା ଉଦ୍ୟମର ନିର୍ଦ୍ଦିଷ୍ଟ କାରଣ ଜଣା ପଡିନଥିଲେ ସୁଦ୍ଧା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି .
ସୂଚନାରୁ ଜଣାଯାଇଛି ଯେ , କଳାପଥର-ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ଶ୍ୟାମସୁନ୍ଦର ବେହେରା ନାମକ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଆଜି ସକାଳୁ କଲେଜକୁ ଆସିଥିଲେ । ତେବେ କଲେଜରେ କାର୍ଯ୍ୟରତ ଥାଇ ସେ ଅଫିସ ଭିତରକୁ ଆସିଥିଲେ । ଅଫିସ ଭିତରେ କୌଣସି ଅଧିକାରୀ ନଥିବା ସମୟରେ ସାଙ୍ଗରେ ଆଣିଥିବା କିଟନାଶକ ଔଷଧ ଖାଇ ଦେଇଥିଲେ । କିଛି ସମୟ ପରେ ଅଫିସକୁ ଅନ୍ୟ କର୍ମଚାରୀ ଆସିବା ପରେ ସେ ଅଚେତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସଂପୃକ୍ତ କର୍ମଚାରୀଙ୍କୁ ପ୍ରଥମେ ଚିକିତ୍ସା ପାଇଁ କଳାପଥର ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ଗୁରୁତର ଥିବା ଦେଖିବା ପରେ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କର ଯାଇଥିଲା । ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡିଛି ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।