ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କୋଭିଡ଼ ମହାମାରୀର ଦ୍ୱିତୀୟ ରୂପକୁ ନେଇ ଜିଲ୍ଲା ସ୍ତରୀୟ ବୈଠକ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି . ଆସୁଥିବା କରୋନା ମହାମାରୀର ରୁପାନ୍ତରକୁ କିପରି ମୁକାବିଲା କରାଯିବ ସେଥିପାଇଁ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । କେରଳ , ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟରେ ପୁଣି ଥରେ ଅଧିକ ମାତ୍ରାରେ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ସତର୍କତା ଅବଲମ୍ବନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ । ଗଜପତି ଜିଲ୍ଲାରେ ଆବଶ୍ୟକ ସତର୍କତା କିପରି ପାଳନ କରାଯିବ ସେଥିପାଇଁ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ , ବନ – ଉପଖଣ୍ଡ ଅଧିକାରୀ ସଂଗ୍ରାମ ଶେଖର ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ରଣଜିତ୍ , ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଜରୁରୀ କାଳିନ ଅଧିକାରୀ ସରୋଜ ବେହେରା , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

କୋଭିଡ଼ ନିର୍ଦ୍ଦେଶାବଳୀକୁ ନିମ୍ନଲିଖିତ ଭାବରେ କଡ଼ାକଡ଼ି ପାଳନ କରାଯିବ – ସାଧାରଣ କ୍ଷେତ୍ର , ବଜାର , ହାଟ ମାନଙ୍କରେ ବାଧ୍ୟତାମୂଳକ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ । ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକମାନଙ୍କୁ ସଚେତନ କରିବା ପାଇଁ ବଜାର , ହାଟ ଏବଂ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଉଭୟ ପାରଳାଖେମୁଣ୍ଡି ଏବଂ କାଶୀନଗରର ନିର୍ବାହି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଶିକ୍ଷା ଅନୁଷ୍ଠାନ , ଛାତ୍ରାବାସ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ବାଧ୍ୟତାମୂଳକ ମାସ୍କ ବ୍ୟବହାର , ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂ ଏବଂ ସାନିଟାଇଜର ଓ ହ୍ୟାଣ୍ଡୱାସ ବ୍ୟବହାର କରିବା ପାଇଁ ଗୁରୁତ୍ବ ଦିଆଯିବ । ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କେବଳ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯିବା ସହ ଅନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯିବ । ହୋଟେଲ୍ , ଢ଼ାବା , ରେଷ୍ଟୁରାଣ୍ଟ ଗୁଡ଼ିକରେ ସାମାଜିକ ଦୂରତା ବଜାୟ ରଖିବା , ସାନିଟେସନ ଏବଂ ପାନୀୟ ଜଳର ବ୍ୟବହାରକୁ ନିରିକ୍ଷଣ କରିବା ପାଇଁ କଡ଼ାକଡ଼ି ଭାବେ ପୋଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିବାହ , ସାମାଜିକ କାର୍ଯ୍ୟକ୍ରମ , ଧାର୍ମିକ ଅନୁଷ୍ଠାନ , କ୍ରିଡ଼ା , ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ଅତ୍ୟଧିକ ଜନଗହଳିକୁ ରୋକିବା ପାଇଁ ପୋଲିସ୍ ପକ୍ଷରୁ କାର୍ଯ୍ୟନୁଷ୍ଠାନ କରାଯିବ । 24 X 7 କଣ୍ଟ୍ରୋଲ ରୁମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବ । କୋଭିଡ଼ -19 ନିୟମାବଳୀକୁ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।