କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରିଆ : କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ର ଜିଏମ କାର୍ଯ୍ୟାଳୟ ରେ ନିଆଁ ଲାଗି ଅନେକ କାଗଜପତ୍ର ଜଳି ଯାଇଥିବାର ସୂଚନା ମିଳିଛି । ନିଆଁ ଲାଗିଥିବା ର କାରଣ ଅସ୍ପଷ୍ଟ ଥିବା ବେଳେ କାର୍ଯ୍ୟାଳୟ ର କୋଣସି ପଦାଧିକାରୀ ଗଣମାଧ୍ୟମ ରେ ପ୍ରତିକ୍ରିୟା ଦେବାପାଇଁ ମନା କରିବା ସନ୍ଧେହ ସୃଷ୍ଟି କରିଛି । କିନ୍ତୁ ବିଶେଷ ସୂତ୍ରରୁ ଅନୁମାନ କରାଯାଉଛି କି କିଛି କାଗଜପତ୍ର ନଷ୍ଟ କରିବା ପାଇଁ ଏପରି କରାଯାଇ ଥାଇପାରେ । ନିଆଁ ଲାଗିବା ପରେ ମା ତାରିଣୀ ସିକ୍ୟୁରିଟି ସଂସ୍ଥାର ଗାର୍ଡ ନିଆଁ କୁ ଦେଖି ଲିଭାଇବା ଉଦ୍ୟମ କରିଥିଲେ । କିନ୍ତୁ ବିଫଳ ହେବା ପରେ ଜୟପାଟଣା ଅଗ୍ନିଶମ ବିଭାଗ କୁ ଜଣାଇଥିଲେ । ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।

କିନ୍ତୁ ପ୍ରତ୍ୟକ୍ଷଦର୍ଶୀ କହିବା ଅନୁସାରେ ପ୍ରକଳ୍ପର ସଫେଇ କର୍ମଚାରୀ ମାନେ ତା ପୂର୍ବ ଦିନ ଅଫିସ ପଛପଟେ ନିଆଁ ଲଗାଇ ସଫାସୁତୁରା କରିଥିଲେ । ଆଜି ଛୁଟି ଥିବାରୁ ସଫେଇ କର୍ମଚାରୀ ଆସି ନଥିଲେ । ଯାହାଫଳରେ ନିଆଁ ଲାଗି ପ୍ରଥମେ ଅଫିସର ଝରକା ପୋଡିବା ସହିତ ସମ୍ପୁର୍ଣ୍ଣ ଭାବେ ଘର ଭିତରେ ନିଆଁ ଲାଗିଥିଲା । ସେ କୋଠରୀ ର ସମସ୍ତ କାଗଜପତ୍ର ସହ ଆସବାବପତ୍ର ପୋଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ କାର୍ଯ୍ୟାଳୟ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଅଧିକ କ୍ଷତି ହୋଇଥିବାର ଜଣାଯାଇଛି , ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ବଡ କାର୍ଯ୍ୟାଳୟ ରେ ଦିନ ଦ୍ଵିପ୍ରହର ସମୟରେ ଯଦି ନିଆଁ ଲାଗୁଛି, ତେବେ ସେଠାକାର ସୁରକ୍ଷା ବ୍ୟବସ୍ଥା କଣ ଥିବ ତାହା ବାରି ହୋଇ ପଡ଼ୁଛି ।

