କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଭେଜିଗୁଡା ଗ୍ରାମପଞ୍ଚାୟତ ଉମେର ଗ୍ରାମରେ ଦେଖାଦେଇଛି ଡ୍ରେନେଜ ସମସ୍ୟା । ଯାହାଫଳରେ ପୁରା ଗ୍ରାମରେ ଦୁର୍ଗନ୍ଧମୟ ପରିବେଶ ହେଉଛି । ୨୦୧୨-୧୩ ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଡ୍ରେନ ପୁରା ପୋତି ହୋଇଯାଇଛି । ସରକାରୀ ସ୍ତରରେ ଗାଁ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଗ୍ରାମ ପଞ୍ଚାୟତର ପ୍ରମୁଖ ଭୂମିକା ରହିଛି । ପ୍ରତି ବାର୍ଷିକ କାର୍ଯ୍ୟ ଖସଡ଼ାରେ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିଛି, ସେଇ ଅର୍ଥ କୁ ପ୍ରତି ଛକ ପାର୍ଶ୍ୱରେ ଅଳିଆ ଆବର୍ଜନା କୁଣ୍ଡ ସହ ଡ୍ରେନ କରି ଉତ୍ତମ ଭାବରେ ପରିଚାଳନା କରିବାର ନିୟମ ରହିଛି । କିନ୍ତୁ ଉମେର ଗ୍ରାମରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ଡ୍ରେନ ସବୁ ପଙ୍କ ରେ ପୋତି ହୋଇଗଲାଣି , ଯାହାଫଳରେ ପୁରା ଗାଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମଶାମାଛି ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ଷା ଦିନ କଥା କହିଲେ ନସରେ । ସାମାନ୍ୟ ବର୍ଷା ହେଲେ ଘରେ ଘରେ ପାଣି ପଶିଯାଉ ଥିବା ଅଭିଯୋଗ ହୋଇଛି । ଗାଁ ଭିତର ଦେଇ ଯାଇଥିବା ନାଳ ପାଇଁ ମଧ୍ୟ କୌଣସି ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଗାଁ ରେ ବର୍ତ୍ତମାନ ନିର୍ମାଣ ହୋଇଥିବା ପୋଲ କାମ ଅତ୍ୟନ୍ତ ନିମ୍ନମାନ ହେଉଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ . ତୁରନ୍ତ ଡ୍ରେନେଜ ବ୍ୟବସ୍ଥାର ସୁଧାର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।