ବ୍ରେକିଙ୍ଗ ନିୟୁଜ ପକାଇବାକୁ ଏତେ ତରବର କାହିଁକି ?? ଜୀବିତ ଲୋକକୁ ମାରି ଦେଉଛନ୍ତି ନିଜକୁ ଏକ ନମ୍ବର କହୁଥିବା ଚ୍ୟାନେଲ !!!

0
1038

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଙ୍କର ପରଲୋକ ଘଟିଛି . ଏପରି ଖବର ଅପ୍ରେଲ 22 ତାରିଖ ରାତି 11.30 ମିନିଟରେ କେତେକ ଓଡ଼ିଆ ନିୟୁଜ ଚ୍ୟାନେଲରେ ଚାଲିଥିବା ବୁଲେଟିନରେ ଆସିଥିଲା . ଏପରିକି ଗ୍ରାଫିକ୍ସ ପକାଇ ବ୍ରେକିଙ୍ଗ ନିୟୁଜ କରି ଦେଖାଇଥିଲା ନିଜକୁ ଏକ ନମ୍ବର କହୁଥିବା ଓଡ଼ିଆ ଚ୍ୟାନେଲ . ସୁମିତ୍ରା ମହାଜନଙ୍କ ପରି ସରଳ ଅମାୟିକ ନେତ୍ରୀଙ୍କର ଅକାଳ ବିୟୋଗ ଖବର ଶୁଣି ଅନେକ ବ୍ୟକ୍ତି ନିଜର ହ୍ୱାଟ୍ସଅପ୍ ସ୍ଟାଟସ ରେ ମଧ୍ୟ rip ସୁମିତ୍ରା ମହାଜନ ଲେଖିଦେଲେ . ଖବରକୁ ଦେଖି ସାମାଜିକ ଗଣମାଧ୍ୟମରେ ତର୍କ ବିତର୍କ ଆରମ୍ଭ ହେବା ପରେ ଅଳ୍ପ ସମୟ ପରେ ଆସିଲା ଟୁଇଷ୍ଟ . ସୁମିତ୍ରା ମହାଜନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କଥା କହି ବିଜେପିର ବହୁ ନେତା ଟୁଇଟ କରିବା ପରେ , ଦର୍ଶକ ମାନେ ଦ୍ଵନ୍ଦ ପଡ଼ିଥିଲେ . ତେବେ ଦମଦାର ଖବର ରେ ବ୍ରେକିଙ୍ଗ ଦେଖାଉଥିବା ଚ୍ୟାନେଲ ଆଉ ପରବର୍ତ୍ତୀ ବୁଲେଟିନ ରେ ସେ ଖବର ଦେଖାଇଲେ ନାହିଁ . କିନ୍ତୁ ରାଜ୍ୟରେ ଶାସକ ଦଳର ସ୍ତୁତିଗାନ କରୁଥିବା ଆଉ ଏକ ଚ୍ୟାନେଲ ଏ ଖବରକୁ ସ୍ୱତନ୍ତ୍ର କ୍ଲିପିଙ୍ଗ କରି ସୋସାଲ ମିଡ଼ିଆର ୟୁଟ୍ୟୁବ ରେ ଅପଲୋଡ଼ କରିଦେଲା .

ତେବେ ଘଟଣା କଣ ବୁଝିବା ବେଳକୁ ଏ ସମସ୍ତଙ୍କର ଖବର ଚୋରୀ ପ୍ରବୃତ୍ତି ହିଁ ଏପରି ମିଥ୍ୟା ଖବର ପଛର ଅସଲ ଘଟଣା ବୋଲି ଜାଣିବାକୁ ମିଳିଛି . ହିନ୍ଦୁସ୍ଥାନ ଟାଇମ୍ସ ର ଟୁଇଟ କୁ ଦେଖି ତଥା ଚ୍ୟାନେଲ ର ହ୍ୱାଟ୍ସଅପ ଗ୍ରୁପ ରେ ଜଣେ ସିନିୟର ଏଡିଟରଙ୍କ ମେସେଜ ଦେଖି ଏ ଖବର ପ୍ରସ୍ତୁତ ହୋଇଥିଲା . ଏ ମଧ୍ୟରେ ହିନ୍ଦୁସ୍ଥାନ ଟାଇମ୍ସ ନିଜର ଖବର ଅପସାରଣ କରିବା ସହିତ କ୍ଷମା ମଧ୍ୟ ମାଗିଲା , କାରଣ ସେମାନେ ମଧ୍ୟ ଖବର ସତ୍ୟତା ନ ପରଖି କଂଗ୍ରେସ ନେତା ଶଶୀ ଥରୁର ଙ୍କ ଟୁଇଟର ହ୍ୟାଣ୍ଡେଲ ରୁ ଏହାକୁ କପି କରିଥିଲେ . ଶଶୀ ଥରୁର ଙ୍କ ଟୁଇଟ ଉପରେ ବିଜେପି ନେତା ମାନେ ରି – ଟୁଇଟ କରିବା ପରେ ଥରୁର ମହାଶୟ ନିଜେ କ୍ଷମା ମାଗିବା ସହ ଟୁଇଟ କୁ ଡିଲିଟ କଲେ .

ଏବେ ଟିକେ ଚିନ୍ତା କରନ୍ତୁ , ବ୍ରେକିଙ୍ଗ ନିୟୁଜ ଦେଖାଇବା ଚକ୍କର ରେ କିପରି ଦେଶର ଜଣେ ଆଗଧାଡିର ନେତ୍ରୀ ତଥା ପୂର୍ବତନ ଲୋକସଭା ସ୍ପିକରଙ୍କ ମିଥ୍ୟା ମୃତ୍ୟୁ ଖବର ପ୍ରଚାରିତ ହେଉଛି . ଆଉ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ,ଏକ ଓଡ଼ିଆ ଚ୍ୟାନେଲ ର ନୂଆଦିଲ୍ଲୀ ପ୍ରତିନିଧି ଏ ଖବର ସମୟରେ ଫୋନୋ ଲାଇଭ ମଧ୍ୟ କରିଥିଲେ . ଧିକ ତୁମର ସାମ୍ବାଦିକତା . ଗୁଜବ ଉପରେ ବି ଫୋନୋ ଲାଇଭ . ସୂଚନା ଅନୁଯାୟୀ ଇନ୍ଦୋର ବମ୍ବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୁମିତ୍ରା ମହାଜନ ସୁସ୍ଥ ଅଛନ୍ତି . ସୁମିତ୍ରା ମହାଜନଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଥିବା ସମୟରେ ତାଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି . ଯେଉଁ ସମୟରେ ସୁମିତ୍ରା ମହାଜନ ଙ୍କର ଆଶୁ ଆରୋଗ୍ୟ କାମନା କରି ଆଶ୍ୱାସନା ର ବାର୍ତ୍ତା ଦିଆଯିବା କଥା , ସେ ସମୟରେ ତାଙ୍କର ନିଧନ ଖବର ପ୍ରସାରଣ ଘଟଣା କୁ ନିନ୍ଦା କରିବା ପାଇଁ ଶବ୍ଦ ମଧ୍ୟ କମ ପଡୁଛି . ଧନ୍ୟ ତୁମର ବ୍ରେକିଙ୍ଗ ନିୟୁଜ ମାନିଆ !!!

LEAVE A REPLY

Please enter your comment!
Please enter your name here