କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରିବା ସହ ଅନେକ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ପ୍ରମାଣପତ୍ରକୁ ଘରୋଇ ମହାବିଦ୍ୟାଳୟର ମାଲିକ ବନ୍ଧକ ରଖିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆଉ ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଏବେ ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଅଞ୍ଚଳରେ । ପ୍ରମିଳାଦେବୀ ଘରୋଇ ମହାବିଦ୍ୟାଳୟର ମାଲିକ କୀର୍ତ୍ତିଚନ୍ଦ୍ର ସାହୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମରେ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜାଲ ଆକାଉଣ୍ଟ ଖୋଲି ସେମାନଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ । ହେଲେ ଏହା ଜାଣିପାରି ଜଣେ ଛାତ୍ର ଏ ନେଇ ଦାରିଙ୍ଗବାଡି ଥାନାରେ ମହାବିଦ୍ୟାଳୟର ମାଲିକ କୀର୍ତ୍ତିଚନ୍ଦ୍ର ସାହୁଙ୍କ ନାମରେ ଅଭିଯୋଗ କରିଛନ୍ତି । ସେହିଭଳି ଅନ୍ୟ ଦୁଇଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ଗୁଡ଼ିକୁ ଦୀର୍ଘ ବର୍ଷ ହେଲା ଘରୋଇ ମହାବିଦ୍ୟାଳୟ ମାଲିକ ବନ୍ଧକ ରଖିବା ସହ ସେମାନଙ୍କ ଭବିଷ୍ୟତ ସହ ଖେଳଖେଳି ଆସୁଛନ୍ତି ବୋଲି ଉଭୟ ଛାତ୍ରଛାତ୍ରୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଦାସିଙ୍ଗବାଡ଼ି ଗ୍ରାମର ସାଗର ପ୍ରଧାନ ନାମକ ଜଣେ ଛାତ୍ରଙ୍କ ଠାରୁ ଗତ ୨୦୧୮ ମସିହାରେ କୀର୍ତ୍ତି ଚନ୍ଦ୍ର ସାହୁ ଯୁକ୍ତ ୩ ରେ ନାମ ଲେଖାଇ ଦେବେ ବୋଲି କହି ଦଶମ ଓ ଯୁକ୍ତ ଦୁଇର ସାର୍ଟିଫିକେଟ ସହ ୨୦ ହଜାର ଟଙ୍କା ମାଗି ନେଇଥିଲେ । ହେଲେ ସାଗରଙ୍କର ନାମ ଲେଖେଇବା ବଦଳରେ କୀର୍ତ୍ତିଚନ୍ଦ୍ର ସାହୁ ନିଜର ଘରୋଇ ମହାବିଦ୍ୟାଳୟ ପ୍ରମିଳାଦେବୀରେ ବିସିଏ ରେ ନାମ ଲେଖାଇ ଦେଇଥିଲେ । ଆଉ ସାଗର ପ୍ରଧାନ ଏସମ୍ପର୍କରେ ଜାଣିବା ପରେ କୀର୍ତ୍ତିଙ୍କୁ ସମସ୍ତ ସାର୍ଟିଫିକେଟ ଫେରାଇଦେବାକୁ କହିଥିଲେ । ହେଲେ କୀର୍ତ୍ତି ସାଗରଙ୍କୁ କହିଥିଲେ ଯେ ଷ୍ଟାଇପେଣ୍ଡ ଟଙ୍କା ୪୦ ହଜାର ତୁମର SBI ଆକାଉଣ୍ଟରେ ଛଡ଼ାଯାଇଛି । ତାକୁ ଉଠାଇକି ଦିଅ ତାହାଲେ ଯାଇ ସାର୍ଟିଫିକେଟ ଫେରାଯିବ । ଆଉ ସାଗର ମଧ୍ୟ ସେହି ସମୟରେ ଷ୍ଟାଇପେଣ୍ଡ ବାବଦକୁ ଆସିଥିବା ୪୦ ହଜାର ଟଙ୍କା ଉଠାଇ କୀର୍ତ୍ତିଙ୍କୁ ଦେବା ସହ ସମସ୍ତ ସାର୍ଟିଫିକେଟ ଫେରି ପାଇଥିଲେ । ହେଲେ ଏବେ ଦୀର୍ଘ ୨ ବର୍ଷ ପରେ ପୁଣି ସାଗର ଙ୍କ ନାମରେ ଦାରିଙ୍ଗବାଡିସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜାଲ ଆକାଉଣ୍ଟ (ନଂ -84042434784) ଖୋଲି କୀର୍ତ୍ତିଚନ୍ଦ୍ର ସାହୁ ଷ୍ଟାଇପେଣ୍ଡ ବାବଦକୁ ପୁଣି ଆସିଥିବା ଆଉ ୪୦ ଜାହାର ଟଙ୍କାକୁ ସେ ହଡ଼ପ କରିବାକୁ ବସିଥିଲେ । ହେଲେ ସାଗର ଏସମ୍ପର୍କରେ ଜାଣିବାକୁ ପାଇ କୀର୍ତ୍ତିଚନ୍ଦ୍ର ସାହୁଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ।
ସେହିଭଳି ଅନ୍ୟ ଜଣେ ଛାତ୍ର ରଞ୍ଜିତ ପ୍ରଧାନଙ୍କୁ ମଧ୍ୟ ଯୁକ୍ତ ତିନିରେ ନାମ ଲେଖେଇ ଦେବେ କହି ଦଶମ ଓ ଦ୍ୱାଦଶର ସାର୍ଟିଫିକେଟ ସହ ୨୦ ହଜାର ଟଙ୍କା ମାଗି ନେଇଥିଲେ । ହେଲେ ରଞ୍ଜିତଙ୍କର ମଧ୍ୟ କୀର୍ତ୍ତିଚନ୍ଦ୍ର ସାହୁ ନିଜର ଘରୋଇ ମହାବିଦ୍ୟାଳୟରେ ବିସିଏରେ ନାମ ଲେଖେଇ ଦେଇଥିଲେ । ଆଉ ସେ ମଧ୍ୟ ଏସମ୍ପର୍କରେ ଜାଣିବା ପରେ କୀର୍ତ୍ତିଙ୍କୁ ସମସ୍ତ ସାର୍ଟିଫିକେଟ ଫେରାଇ ଦେବାକୁ କହିଥିଲେ । ହେଲେ କୀର୍ତ୍ତି, ରଞ୍ଜିତଙ୍କୁ ଆଜିକୁ ଦୁଇବର୍ଷରୁ ସମୟ ହୋଇଗଲାଣି ତାଙ୍କ ସାର୍ଟିଫିକେଟ ଗୁଡ଼ିକ ଫେରାଉ ନାହାଁନ୍ତି । ୪୦ ହଜାର ଟଙ୍କା ଦେଲେ ଯାଇ ସମସ୍ତ ସାର୍ଟିଫିକଟ ଦେବେ ବୋଲି କୀର୍ତ୍ତି କହୁଛନ୍ତି। ଏଭଳି ଭାବେ ରଞ୍ଜିତଙ୍କର ସାର୍ଟିଫିକଟ ଗୁଡ଼ିକ ବନ୍ଧକ ଭାବେ ଘରୋଇ ମହାବିଦ୍ୟାଳୟର ମାଲିକଙ୍କ ପାଖରେ ରହିଥିବା ବେଳେ ସେ ମଧ୍ୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଏହା ସହ ଅନ୍ୟ ଜଣେ ଛାତ୍ରୀ ଦଡ଼ିକ୍ଲିୟୁ ଗ୍ରାମର ଋତୁ ପ୍ରଧାନ ମଧ୍ୟ କୀର୍ତ୍ତିଚନ୍ଦ୍ର ସାହୁଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ସେ ପ୍ରମିଳାଦେବୀ ଘରୋଇ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ । ଆଉ ଦୁଇ ବର୍ଷ ପାଇଁ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଘରୋଇ ମହାବିଦ୍ୟାଳୟର ମାଲିକ ସେହି ସମୟରେ କହିଥିଲେ । ଆଉ ଛାତ୍ରୀ ଜଣକ ୫ ହାଜର ଟଙ୍କା ପ୍ରଥମ ବର୍ଷରେ ଦେଇଥିଲେ । ଷ୍ଟାଇପେଣ୍ଡ ବାବଦକୁ ଆସିଥିବା ୨୪ ହଜାର ଟଙ୍କା ସହ ଦୁଇ ବର୍ଷରେ ୨୯ ହଜାର ଟଙ୍କା ଦେଇଛନ୍ତି । ହେଲେ ସେ ୨୦୧୯ରେ ଯୁକ୍ତ ଦୁଇ ପାସ କରିଥିଲେ ମଧ୍ୟ ତାଙ୍କୁ ତାଙ୍କର ସାର୍ଟିଫିକଟ ଘରୋଇ ମହାବିଦ୍ୟାଳୟର ମାଲିକ ଦେଉନାହାନ୍ତି । ସାର୍ଟିଫିକଟ ପାଇଁ ଆହୁରି ୧୦ ହଜାର ଟଙ୍କା ଦାବି କରିବା ସହ ନିଜର ଘରୋଇ ମହାବିଦ୍ୟାଳୟରେ ବିସିଏରେ ନାମ ଲେଖାଇବାକୁ କହୁଛନ୍ତି । ନଚେତ ସାର୍ଟିଫିକଟ ଫେରାଇବେ ନାହିଁ ବୋଲି ଦୀର୍ଘ ଦୁଇ ବର୍ଷ ହେଲେ କହି ଆସୁଛନ୍ତି । ଆଉ ସେ ମଧ୍ୟ ଦୁଇ ବର୍ଷ ହେଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହିଥିବା ବେଳେ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଛନ୍ତି ।
ଏଭଳି ଭାବେ ଘରୋଇ ମହାବିଦ୍ୟାଳୟର ମାଲିକ କୀର୍ତ୍ତିଚନ୍ଦ୍ର ସାହୁ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ଟଙ୍କା ଆଳରେ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳିବା ସହ ଜାଲ ଆକାଉଣ୍ଟ କରି ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଏନେଇ ଘରୋଇ ମହାବିଦ୍ୟାଳୟ ମାଲିକ କୀର୍ତ୍ତିଚନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ସମ୍ଭବ ହୋଇ ପାରୁନାହିଁ l ଅନ୍ୟ ପକ୍ଷରେ ପୋଲିସ ଛାତ୍ରଛାତ୍ରୀ ଅଭିଯୋଗ ଆଧାରରେ କୀର୍ତ୍ତିଚନ୍ଦ୍ର ସାହୁଙ୍କ ନାମରେ IPC – ଧାରା -୪୨୦, ୪୦୬, ୪୬୮, ୪୭୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି !